July 14, 2026

Now Odisha

Now Odisha

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ

Spread the love

ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଛନ୍ତି। ସେ କେଉଁଭଳି ମୃତ୍ୟୁବରଣ କଲେ ତାହା ସଠିକ ଭାବେ ଜଣାପଡ଼ିନାହିଁ। ଭଞ୍ଜନଗର ପୋଲିସ ଏନେଇ ୧୮/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଥିସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ, ଶିବାନୀ ଭଞ୍ଜନଗର ନିକଟସ୍ଥ ମଲାସପଦର ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭଲ ମାର୍କ ରଖିଥିଲେ। ତେଣୁ ସେ ଇତିମଧ୍ୟରେ ବାହାରକୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯିବାର ଥିଲା। ଆସନ୍ତା କାଲି ଦ୍ୱିତୀୟ ବର୍ଷର ପ୍ରଥମ କ୍ଲାସ ପରୀକ୍ଷା ଥିଲା। ଏହାପୂର୍ବରୁ ଆଜି ଶିବାନୀ ସକାଳେ ମା’ଙ୍କୁ ଟିକେ ଭଲ ଲାଗୁନି କହିଥିଲେ। ତେଣୁ ସେ ଆଜି ସ୍କୁଲ ଯାଇ ନ ଥିଲେ। ଏହି ସମୟରେ ମା ବିଲକୁ କାମ କରିବାକୁ ଚାଲି ଯାଇଥିଲେ। ସନ୍ଧ୍ୟାରେ ମା’ ଜମିରୁ ଫେରି ଦେଖିବା ବେଳକୁ ଘରେ ଲୋକଙ୍କ ଭିଡ ଜମିଥିଲା। ଝିଅ ଗୁରୁତର ଅସୁସ୍ଥ ଥିବା ଦେଖି ମା’ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ ଝିଅ ମା’ଙ୍କୁ ଦୁଇଥର ମା’ ମା’ ଡାକି ଅଚେତ୍‌ ହୋଇପଡ଼ିଥିଲେ।
ଏହାପରେ ପରିବାର ଲୋକେ ଶିବାନୀଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡିକାଲରେ ଶିବାନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ରାତି ହୋଇଯାଇଥିବା ଯୋଗୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବ। ଶିବାନୀ ଜଣେ ମେଧାବୀ ଛାତ୍ରୀ ଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ସହପାଠୀମାନେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମେଡିକାଲରେ ସାଙ୍ଗସାଥୀଙ୍କ ଭିଡ ଜମିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଶିବାନୀଙ୍କ ବାପା କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତେଣୁ ଶିବାନୀଙ୍କ ମା’ ଝିଅକୁ ବଡ ମଣିଷ କରିବା ପାଇଁ ଚେଷ୍ଟା କରିଥିଲେ। ମୂଲକଷ୍ଟ ଲାଗି ମା’ ଝିଅକୁ ଆଦର୍ଶ ବିଦ୍ୟାଳୟରେ ପଢ଼ାଉଥିଲେ। କିନ୍ତୁ ଆଜି ଶିବାନୀଙ୍କ ମା’ଙ୍କ ସ୍ବପ୍ନ ଅଧୁରା ରହିଯାଇଛି। ଅନ୍ୟପଟେ ଶିବାନୀଙ୍କ ଭାଇ ମଧ୍ୟ ଭଉଣୀକୁ ବଡ ମଣିଷ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ତେଣୁ ସେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ କାମ କରି ଘରକୁ ଟଙ୍କା ପଠାଉଥିଲେ ଭଉଣୀ ପଢ଼ିବା ପାଇଁ। କିନ୍ତୁ ଭାଇର ସ୍ବପ୍ନ ମଧ୍ୟ ଅଧୁରା ରହିଗଲା।

error: Content is protected !!