July 14, 2026

Now Odisha

Now Odisha

ବସ୍–କାର୍ ମୁହାଁମୁହିଁ ଧକ୍କା: କାର୍ ଚାଳକ ମୃତ, ୩ ଗୁରୁତର

Spread the love

 ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ–କପିଳାସ–ହରିପୁର ରାସ୍ତାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ କାର୍‌ରେ ଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ମୃତକ ହେଲେ ଭୁବନ ଏନ୍‌ଏସି ଅନ୍ତର୍ଗତ ବନ୍ଦାଳ ସାହିର ରଞ୍ଜିତ ମଲ୍ଲିକ। ଆହତମାନେ ହେଲେ ରାଜୁ ମଲ୍ଲିକ, ଶିଖର ମଲ୍ଲିକ ଓ ସନ୍ତୋଷ ସାହୁ। ସେମାନେ ସମସ୍ତେ ଏକେ ସାହିର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କାର୍‌ରେ ମୋଟ ୬ ଜଣ ଯାତ୍ରୀ ଥିଲେ। ସେମାନେ କାର୍ ଯୋଗେ କଟକ ବଡ଼ ମେଡିକାଲକୁ ଯାଉଥିବା ବେଳେ ଦେଓଗାଁ ନିକଟରେ ସାମ୍ନାରୁ ଆସୁଥିବା ‘ଖୁସି’ ନାମକ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ଟି କଟକରୁ ପାଲଲହଡ଼ା ଅଭିମୁଖେ ଯାଉଥିବା ବେଳେ କାର୍‌ଟି କପିଳାସ ପଟରୁ ଟାଙ୍ଗୀ ରାସ୍ତା ଆଡ଼କୁ ଯାଉଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଓ ପୋଲିସ ମିଳିତ ଭାବେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଖବର ପାଇ ଗଁଦିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ ଜାରି ରଖିଛି।

error: Content is protected !!