ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପଦା ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଡ୍ରାଇଭର ସମେତ ଦୁଇ ଜଣ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଜାତୀୟ ରାଜପଥରେ ଅନେକ ଗର୍ତ୍ତ ଥିବାରୁ ଗାଡ଼ିର ଷ୍ଟିଅରିଂ ଜାମ୍ ହୋଇଯାଇଥିଲା। ଫଳରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଧାନ ବିଲକୁ ପଶିଯାଇଥିଲେ। ଦୁର୍ଘଟଣାରେ କାର୍ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ିରେ ଥିବା ତିନିଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ଅଡବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘଦିନ ଧରି ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି। ରାସ୍ତାରେ ଅସଂଖ୍ୟ ଗର୍ତ୍ତ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଅଞ୍ଚଳବାସୀଙ୍କ ପକ୍ଷରୁ ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଠିକାଦାର କେବଳ ନାମକୁ ମାତ୍ର କିଛି ସ୍ଥାନରେ ମରାମତି କରି ଚାଲିଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଜାତୀୟ ରାଜପଥର ଶୀଘ୍ର ସ୍ଥାୟୀ ମରାମତି କରି ଦୁର୍ଘଟଣା ରୋକିବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ