July 26, 2026

Now Odisha

Now Odisha

ସୌରମଣ୍ଡଳ ବାହାରେ ଚନ୍ଦ୍ର: ପ୍ରଥମ ଥର ପାଇଁ ମିଳିଲା ସମ୍ଭାବ୍ୟ ବାହ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ

Spread the love

ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ ଏହା ଜଣାପଡ଼ିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଏକ ନକ୍ଷତ୍ରକୁ ପରିକ୍ରମଣ କରୁଥିବା ଏକ ବ୍ରାଉନ ଡ୍ୱାର୍ଫ ଚାରିପଟେ ଆଉ ଏକ ମହାକାଶୀୟ ଉପଗ୍ରହ ଘୂରି ବୁଲୁଥିବା ଦେଖିବାକୁ ମିଳିଛି, ଯାହା ପ୍ରଥମ ପ୍ରାକୃତିକ ବାହ୍ୟ ଚନ୍ଦ୍ର ବା ‘ଏକ୍ସୋମୁନ୍‌’ ଆବିଷ୍କାରର ସମ୍ଭାବନାକୁ ସୃଷ୍ଟିକରିଛି। ବର୍ତ୍ତମାନ ସୁଦ୍ଧା ମହାକାଶରେ ୬,୦୦୦ରୁ ଅଧିକ ଏକ୍ସୋପ୍ଲାନେଟ୍‌ (ସୌରମଣ୍ଡଳ ବାହାରେ ଥିବା ଗ୍ରହ) ଆବିଷ୍କାର କରାଯାଇଥିଲେ ମଧ୍ୟ କୌଣସି ଏକ୍ସୋମୁନ୍‌ର ଠିକ୍‌ ଚିହ୍ନଟ ହୋଇପାରି ନ ଥିଲା। ଏହି ଆବିଷ୍କାର ମହାକାଶ ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି।
ବିଶାଳ ‘ଏକ୍ସୋସାଟେଲାଇଟ’ ‘ସିଡି-୩୫ ୨୭୨୨’ ନାମକ ଏକ ନୂତନ ଯୁବ ମହାକାଶୀୟ ବ୍ୟବସ୍ଥାରେ ଏହି ସନ୍ଧାନ ମିଳିଛି। ଏହାର ମୁଖ୍ୟ ନକ୍ଷତ୍ରର ଓଜନ ସୂର୍ଯ୍ୟର ପ୍ରାୟ ଅଧା। ଏହାକୁ ପରିକ୍ରମଣ କରୁଥିବା ବ୍ରାଉନ ଡ୍ୱାର୍ଫ ‘ସିଡି-୩୫ ୨୭୨୨ ବି’ ର ଓଜନ ବୃହସ୍ପତି ଗ୍ରହଠାରୁ ୩୦ ଗୁଣରୁ ଅଧିକ। ବର୍ତ୍ତମାନ ଆବିଷ୍କୃତ ହୋଇଥିବା ଏହି ନୂତନ ‘ଏକ୍ସୋସାଟେଲାଇଟ’ ବା ଉପଗ୍ରହଟି ଏହି ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରୁଛି, ଯାହାର ଓଜନ ପ୍ରାୟ ବୃହସ୍ପତି ଗ୍ରହ ସହ ସମାନ। ଏହା ନିଜର ମୁଖ୍ୟ ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରିବା ପାଇଁ ପ୍ରାୟ ୧୭୦ ଦିନ ସମୟ ନେଉଛି।
ୟୁରୋପିଆନ ସ୍ପେସ୍‌ ଅବ୍‌ଜରଭେଟୋରି (ଇଏସ୍‌ଓ), ଚିଲିର ମୁଖ୍ୟ ଗବେଷକ କେଭିନ୍‌ ହୋୟ କହିଛନ୍ତି, ଏହି ନୂତନ ବସ୍ତୁଟି ଆକାରରେ ଏକ ଗ୍ରହ ଭଳି ବଡ଼। କିନ୍ତୁ ଏହା ସିଧାସଳଖ କୌଣସି ନକ୍ଷତ୍ରକୁ ପରିକ୍ରମଣ କରୁନାହିଁ।

ଏହା ଏକ ଗ୍ରହ ସଦୃଶ ବସ୍ତୁକୁ ପରିକ୍ରମଣ କରୁଥିବାରୁ ଏହାକୁ ‘ଚନ୍ଦ୍ର’ ବା ’ମୁନ୍‌’ କହିବା ଯୁକ୍ତିଯୁକ୍ତ ମନେହେଉଛି, ଯଦିଓ ଆମ ସୌରମଣ୍ଡଳର ପଥୁରିଆ ଚନ୍ଦ୍ରଗୁଡ଼ିକ ତୁଳନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ବ୍ରାଉନ ଡ୍ୱାର୍ଫକୁ ପରିକ୍ରମଣ କରୁଥିବା ବସ୍ତୁକୁ ‘ଏକ୍ସୋମୁନ୍‌’ କୁହାଯିବ କି ନାହିଁ, ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ନିୟମ ନାହିଁ।
ବୈଜ୍ଞାନିକମାନେ ଏହି ସନ୍ଧାନ ପାଇ ‘ରାଡିଆଲ ଭେଲୋସିଟି ଆନାଲିସିସ୍‌’ ପଦ୍ଧତିର ବ୍ୟବହାର କରିଛନ୍ତି। ଏହି ସଫଳତା ପ୍ରମାଣିତ କରିଛି ଯେ, ଆଗାମୀ ଦିନରେ ଉକ୍ତ ପଦ୍ଧତି ଦ୍ୱାରା ମହାକାଶରେ ଅନ୍ୟ ଏକ୍ସୋମୁନଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ। ତେବେ ଏଥିପାଇଁ ମହାକାଶୀୟ ବସ୍ତୁଗୁଡ଼ିକର ଏକ ସ୍ପଷ୍ଟ ଶ୍ରେଣୀଭୁକ୍ତକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

error: Content is protected !!