August 7, 2026

Now Odisha

Now Odisha

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

Spread the love

ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ ବରଗଡ଼ ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବରଗଡ଼ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସରାଫଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବରଗଡ଼ ଟାଉନ ଥାନା ପୋଲିସ ୩ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀ ଡାକ୍ତରଖାନା ପହଞ୍ଚି ସରାଫଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସୂଚନା ଅନୁଯାୟୀ, ଓକିଲ ସଂଘ ସଭାପତି ସରାଫ ନିଜ କାର୍‌ ଯୋଗେ କୋର୍ଟକୁ ଆସୁଥିଲେ। ତେବେ ସେହି ସମୟରେ କୋର୍ଟ ସମ୍ମୁଖ ରାସ୍ତା ଉପରେ ୩ବାଇକ ଆରୋହୀ ପଡିଯିବାରୁ ସରାଫ କାର୍‌ ଭିତରୁ ଓହ୍ଲାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲେ। କିନ୍ତୁ ସେହି ୩ବାଇକ ଆରୋହୀ ବାଇକ ଭିତରୁ ମଦ ବୋତଲ ବାହାର କରି ସରାଫଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। କୋର୍ଟ ପରିସରରେ ରହିଥିବା ଅନ୍ୟ ଓକିଲମାନେ ସେଠାକୁ ପହଞ୍ଚି ସରାଫଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଘଟଣାକୁ ନେଇ ଓକିଲ ସଂଘ ଉଦବେଗ ପ୍ରକାଶ କରିଥିବାବେଳେ ଏହି ଘଟଣାରୁ ସହରର ସୁରକ୍ଷା ବ୍ୟବସ୍ଥା ତଥା ସୁରକ୍ଷା କ୍ଷେତ୍ରରେ ପୋଲିସର ଢିଲା ପଦାରେ ପଡିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

error: Content is protected !!