August 6, 2026

Now Odisha

Now Odisha

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

Spread the love

ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବୁଧବାର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ), ମ୍ୟୁନିସିପାଲ ଇଞ୍ଜିନିୟର (ଏମ୍‌ଇ) ଓ ସମ୍ପୃକ୍ତ ଠିକାଦାରଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି।

ଭିଜିଲାନ୍ସ ସୂଚନାନୁସାରେ, ୨୦୧୯ରୁ ୨୦୨୨ ମଧ୍ୟରେ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ପାଇଁ ମୋଟ୍‌ ୧ କୋଟି ୨୨ ଲକ୍ଷ ୪୦ ହଜାର ୭୦୦ ଟଙ୍କା ତିନୋଟି ରନିଂ ଆକାଉଣ୍ଟ (ଆର୍‌ଏ) ବିଲ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ତଦନ୍ତରେ ପୂର୍ବତନ ଜେଇ ଡି. ଯୁଧିଷ୍ଠିର ସରକାରୀ ମେଜରମେଣ୍ଟ ବୁକ (ଏମ୍ବି)ରେ ମିଥ୍ୟା ଓ ବଢ଼ାଇ ଦିଆଯାଇଥିବା ମାପଚୋପ ଲିପିବଦ୍ଧ କରିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ମ୍ୟୁନିସିପାଲ ଇଞ୍ଜିନିୟର ସଞ୍ଜୀବ ଚମ୍ପତି ସେହି ମାପଚୋପକୁ ଯାଞ୍ଚ କରି ସଠିକ ବୋଲି ପ୍ରମାଣିତ କରିଥିଲେ। ଏହା ଆଧାରରେ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା।
ଭିଜିଲାନ୍ସର ସ୍ବାଧୀନ ବୈଷୟିକ ଯାଞ୍ଚରେ ନିମ୍ନମାନର କାର୍ଯ୍ୟ ଓ ଜାଲିଆତିପୂର୍ଣ୍ଣ ମାପଚୋପ ଯୋଗୁ ୫୫,୬୯,୦୩୩ ଟଙ୍କାର ସରକାରୀ କ୍ଷତି ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ମାମଲା ନଂ ୭/୨୬ ରୁଜୁ କରାଯାଇ ବିଭିନ୍ନ ଦଫାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ବୁଧବାର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିବାବେଳେ ମାମଲାର ତଦନ୍ତ ଜାରି ରହିଛି।

error: Content is protected !!