ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ।
କଳାହାଣ୍ଡି ଜନସଂଗ୍ରାମ ସମିତି ପକ୍ଷରୁ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରାୟ ୩୦୦ ଚାଷୀ ଗୋଲାମୁଣ୍ଡାରୁ ଧର୍ମଗଡ଼ ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ପଦଯାତ୍ରା କରି ଧର୍ମଗଡ଼ ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଚାଷୀ ଓ ଜନସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗୋଲାମୁଣ୍ଡା ବ୍ଲକର ପ୍ରାୟ ୮୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭରଶୀଳ। ଶସ୍ୟବୀମା ଧାନ ବିକ୍ରୟ ପଞ୍ଜିକରଣ ଓ ଶସ୍ୟବୀମା ପଞ୍ଜିକରଣରେ ଏଗ୍ରିଷ୍ଟାକ ବ୍ୟବସ୍ଥା ଯୋଗୁ ଚାଷୀମାନେ ସମସ୍ୟାରେ ପଡୁଛନ୍ତି। ଏହି ବ୍ୟବସ୍ଥାକୁ ହଟାଇ ଚାଷୀଙ୍କ ପାଇଁ ସରଳ ପଞ୍ଜିକରଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ସେହିପରି ବ୍ଲକରେ ସାର କଳାବଜାର ଓ ଚଢ଼ାଦରରେ ସାର ବିକ୍ରି ହେଉଥିବା ନେଇ ମଧ୍ୟ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏଭଳି କାର୍ଯ୍ୟରେ ସମ୍ପୃକ୍ତ ସାର ଦୋକାନୀମାନଙ୍କୁ ଚିହ୍ନଟ କରି ଲାଇସେନ୍ସ ରଦ୍ଦ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ପଦଯାତ୍ରାରେ ଅଶାରୁ ମାଝୀ, ଟିକେ ମାଝୀ, ଜଗବନ୍ଧୁ ମାଝୀ, ଭୁଜାନ ମାଝୀ, ରୁଷୀ ମାଝୀ, ମଧୁସୂଦନ ମାଝୀ, ଜୟରାମ ମାଝୀ, ଭୂମି ମାଝୀ, ଯୁଧିଷ୍ଠିର ମାଝୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ