ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସ୍ୱର୍ଗତ ଟିଙ୍କା ବେହେରାଙ୍କ ବଡ଼ ପୁଅ ଟୁନା ବେହେରା (୩୧)।
ମିଳିଥିବା ସୂଚନା ଅନୁଯାୟୀ, ଦାଦନ ଶ୍ରମିକ ଟୁନା କାମ ଅନ୍ୱେଷଣରେ ଗୁରୁବାର ବ୍ରହ୍ମପୁରରୁ ଟ୍ରେନ ଯୋଗେ ତାମିଲନାଡୁର ଚେନ୍ନାଇ ଯାଉଥିଲେ। ଚେନ୍ନାଇରେ ପହଞ୍ଚିବାକୁ ଅଳ୍ପ ରାସ୍ତା ବାକି ଥିବାବେଳେ ଶନିବାର ଭୋର ପ୍ରାୟ ୫ଟା ସମୟରେ ଅସାବଧାନତା କାରଣରୁ ତାମିଲନାଡୁର ମାଲେପାଟମ୍ୱକମ୍ ଗାଁ ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାକାର କୁଡ଼ାଲୁର୍ ପୋର୍ଟ ଜଙ୍କସନ୍ ରେଲୱେ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସରକାରୀ ହସ୍ପିଟାଲକୁ ପଠାଇଛି। ଟୁନାଙ୍କ ସହ କାମ କରିବାକୁ ଯାଇଥିବା ଗ୍ରାମର ପପୁ ସେଠୀ ଏବଂ ରାଜୀବ ବେହେରା ଗାଁକୁ ଫୋନ୍ କରି ଏହି ଦୁଃଖଦ ଖବର ଜଣାଇଥିଲେ।
ଟୁନାଙ୍କର ଏପରି ଅକାଳ ବିୟୋଗରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ପରିବାର ଅତି ନିହାତି ଗରିବ ହୋଇଥିବାବେଳେ ସେମାନଙ୍କର ନିଜସ୍ୱ ଘର ନାହିଁ ଏବଂ ଭଡ଼ା ଘରେ ରହୁଛନ୍ତି। ମୃତକଙ୍କର ବିଧବା ମା’ ଝୁନୁ ବେହେରା ଏବଂ ଦିବ୍ୟାଙ୍ଗ ଭଉଣୀ ପରିବାରର ଏଭଳି ଅବସ୍ଥା ଦେଖି ବାହୁନି ବାହୁନି କାନ୍ଦୁଛନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ ପଞ୍ଚାୟତ ସମିତି ସଭ୍ୟ ଶିବରାମ ମହାନ୍ତି ମୃତଦେହକୁ ଭିଟାମାଟିକୁ ଅଣାଯିବା ସହ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବ୍ରହ୍ମପୁର ଏମ୍.ପି ଡା. ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ରହ୍ମପୁର ଏମ୍.ପି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଆବଶ୍ୟକୀୟ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଗୃହହୀନ ମୃତକଙ୍କ ପରିବାରକୁ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବାକୁ ଦାବି ହୋଇଛି। ଦିଗପହଣ୍ଡି ତହସିଲଦାର କହିଛନ୍ତି ଯେ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇଦେବା ପାଇଁ ସେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ଦୃଷ୍ଟି ଆକର୍ଷଣ କରିବେ।

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ