କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ ରାଜପଥରେ ‘ଆମ ବସ’ ଗୁଡ଼ିକ ପାର୍କିଂ କରାଯାଉଛି। ଗ୍ରାମାଞ୍ଚଳର ଲୋକମାନଙ୍କୁ ସହଜରେ ବ୍ଲକ ଆସିବା ପାଇଁ ସରକାର ‘ଆମ ବସ’ ବ୍ୟବସ୍ଥା କରିଥିଲେ ହେଁ ଏହାର ପାର୍କିଂ ସ୍ଥାନ ପ୍ରତି କାହାର ନଜର ନାହିଁ। ବ୍ଲକ ଅଧୀନ ୩୧ଟି ପଞ୍ଚାୟତ ପାଇଁ ମୋଟ ୮ଟି ଆମ ବସ ଚାଲୁଥିବାବେଳେ ଆନନ୍ଦପୁର-ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ବ୍ଲକ ସମ୍ମୁଖରେ ଏହି ବସଗୁଡ଼ିକ ପାର୍କିଂ କରାଯାଉଛି।
ରାଜପଥରେ ବସ ପାର୍କିଂ କରାଯିବା ଯୋଗୁ ଅନେକ ସମୟରେ ନାନା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଷ୍ଟାଣ୍ଡ ନଥିବାରୁ ଯାତ୍ରୀମାନେ ମଧ୍ୟ ଗାଡ଼ିକୁ ଅପେକ୍ଷା କରିବା ଓ ଘରକୁ ଫେରିବା କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ସମୟରେ କେବଳ ବ୍ଲକ ପରିସରରେ ବସଗୁଡ଼ିକ ରହୁଥିଲେ ହେଁ ଦିନବେଳେ ସେଠାରେ ପାର୍କିଂ ପାଇଁ ସୁବିଧା ନାହିଁ ବୋଲି ହାଟଡିହୀ ବିଡ଼ିଓ ରଞ୍ଜନ ପରିଡ଼ା ପ୍ରକାଶ କରିଛନ୍ତି। ତେଣୁ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଉଦ୍ଧାର