September 23, 2026

Now Odisha

Now Odisha

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

Spread the love

ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ ଜିଲାର ଭାରତୀୟ ନାବିକ ସୂରଜ ଯାଦବଙ୍କ ମୃତ୍ୟୁ ହୋଇଛି । ସେ ଜାହାଜରେ ୱାଇପର ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଆଣ୍ଟିଗୁଆ ଓ ବାରବୁଡା ପତାକା ବହନ କରୁଥିବା ଏମଭି କେପ୍ ଡାଓ ଜାହାଜ ଭାରତ ଅଭିମୁଖେ ଆସୁଥିବା ବେଳେ ବୁଧବାର ଆକ୍ରମଣର ଶିକାର ହୋଇଥିଲା। ଜାହାଜରେ ମୋଟ ୨୮ ଜଣ କ୍ରୁ ସଦସ୍ୟ ଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ନାବିକ ମଧ୍ୟ ଥିଲେ ।

ରିପୋର୍ଟ ଅନୁସାରେ, ଜାହାଜ ଉପରେ ଦୁଇଟି ଟର୍ପିଡୋ ମାଡ଼ ହୋଇଥିଲା। ଗୋଟିଏ ଟର୍ପିଡୋ ଜାହାଜର ବାମ ପାର୍ଶ୍ୱରେ ଥିବା ଆବାସିକ ଅଞ୍ଚଳକୁ ଏବଂ ଅନ୍ୟଟି ବାମ ପାର୍ଶ୍ୱର ଇଞ୍ଜିନ୍ କକ୍ଷ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିବା ସହ ବିଦ୍ୟୁତ୍ ବ୍ୟବସ୍ଥା ଏବଂ ଦିଗ ନିୟନ୍ତ୍ରଣ କ୍ଷମତା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଓମାନର ତଟରକ୍ଷୀ ବାହିନୀ ଜାହାଜର କ୍ରୁ ସଦସ୍ୟମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବା ସୂଚନା ମିଳିଛି।

ଓମାନସ୍ଥିତ ଭାରତୀୟ ଦୂତାବାସ ଘଟଣା ନେଇ ଗଭୀର ଚିନ୍ତା ପ୍ରକାଶ କରିଛି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଏମଭି କେପ୍ ଡାଓ ଉପରେ ହୋଇଥିବା ଆକ୍ରମଣ ନେଇ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଜାହାଜରେ ଥିବା ଭାରତୀୟ ନାବିକଙ୍କ ସମେତ ସମସ୍ତ କ୍ରୁ ସଦସ୍ୟଙ୍କ ସୁରକ୍ଷା ନେଇ ଦୂତାବାସ ତଥ୍ୟ ସଂଗ୍ରହ କରୁଛି। ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ନେଇ ଦୂତାବାସ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। ଦୂତାବାସ ଆରପିଏସ୍‌ଏଲ୍‌ ସହ ସମନ୍ୱୟ କରି ମୃତକଙ୍କ ପରିବାର ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।

ଆକ୍ରମଣ ସମୟରେ ସୂରଜ ଯାଦବଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଅବଗତ କରାଯାଇଛି। ଜାହାଜର ଅନ୍ୟ କ୍ରୁ ସଦସ୍ୟମାନଙ୍କୁ ଓମାନରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଘଟଣା ପରେ ଜାହାଜର ମାଲିକ ଓ ପରିଚାଳନା ସଂସ୍ଥା ସହ ସମ୍ପୃକ୍ତ କମ୍ପାନୀଗୁଡ଼ିକ ସମନ୍ୱୟ କରୁଛନ୍ତି। ଘଟଣାର ବିସ୍ତୃତ ରିପୋର୍ଟ ଏବଂ ମାମଲା ସମ୍ପର୍କିତ ପ୍ରକ୍ରିୟା ଜାରି ରହିଛି।

error: Content is protected !!