ଶକ୍ତିଶାଳୀ ଏଲ୍ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ ଯୋଗୁ ଅତିରିକ୍ତ ଗରମ ବଢ଼ିବା ସହିତ ସାରା ବିଶ୍ୱରେ ୪ ଲକ୍ଷ ୫୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ଶିକାଗୋ ବିଶ୍ୱବିଦ୍ୟାଳୟର କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ ପକ୍ଷରୁ ଏହି ଆକଳନ ସମ୍ପର୍କରେ ସୂଚନା ଦିଆଯାଇଛି । ବୈଜ୍ଞାନିକଙ୍କ ଅନୁସାରେ, ଏଲ୍ ନିନୋର ପ୍ରଭାବ ଇଣ୍ଡୋନେସିଆ, ଭାରତ ଓ ନାଇଜେରିଆଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ। ଏହା ସହ ମରୁଡ଼ି, ଜଙ୍ଗଲ ନିଆଁ ଓ ବନ୍ୟା ଭଳି ଘଟଣା ମଧ୍ୟ ବଢ଼ିବାର ଆଶଙ୍କା ରହିଛି।
ରିପୋର୍ଟରେ ବିଭିନ୍ନ ଅଞ୍ଚଳରେ ଅତିରିକ୍ତ ଗରମ ଯୋଗୁ ହେବାକୁ ଥିବା ମୃତ୍ୟୁର ଆକଳନ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି, କେଉଁ ଅଞ୍ଚଳରେ ସମୟ ପୂର୍ବରୁ ପଦକ୍ଷେପ ନେଇ ଅଧିକ ଜୀବନ ବଞ୍ଚାଯାଇପାରିବ, ତାହା ଚିହ୍ନଟ କରିବା। ବୈଜ୍ଞାନିକମାନେ ଅତ୍ୟଧିକ ଗରମ ପାଇଁ ଆଗୁଆ ସତର୍କତା ବ୍ୟବସ୍ଥା, କୁଲିଂ ସେଣ୍ଟର ସ୍ଥାପନ, ହିଟ୍ୱେଭ୍ ସମୟରେ ହସ୍ପିଟାଲରେ ଅଧିକ କର୍ମଚାରୀ ନିୟୋଜନ ଏବଂ ବାହାରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ଭଳି ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି।
ଜଳବାୟୁ ବୈଜ୍ଞାନିକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗରର ଟ୍ରପିକାଲ୍ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ବହୁତ ଅଧିକ ହୋଇଯାଇଛି । ଏହା ଏମିତି ଏକ ସମୟରେ ଘଟୁଛି, ଯେତେବେଳେ ମାନବୀୟ କାର୍ଯ୍ୟକଳାପ ଯୋଗୁ ବିଶ୍ୱର ତାପମାତ୍ରା ପୂର୍ବରୁ ହିଁ ବଢ଼ିଛି । ଫଳରେ ଏଲ ନିନୋ ସହ ଜଡ଼ିତ ପ୍ରଭାବ ଆହୁରି ଗମ୍ଭୀର ହୋଇପାରେ।ଶିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ର ସହ-ପ୍ରତିଷ୍ଠାତା ମାଇକେଲ୍ ଗ୍ରୀନଷ୍ଟୋନ୍ କହିଛନ୍ତି ଯେ ୪ ଲକ୍ଷ ୫୧ ହଜାର ଲୋକଙ୍କ ସମ୍ଭାବ୍ୟ ମୃତ୍ୟୁର ଆକଳନ ଏତେ ବଡ଼ ଯେ ଏହାର ପରିମାଣ ବୁଝିବା ମଧ୍ୟ କଷ୍ଟକର । ଏହି ସଂଖ୍ୟାରେ ପରିବାରର ସଦସ୍ୟ, ଶିଶୁ, ବୟସ୍କ, ପଡ଼ୋଶୀ ଓ ସାଧାରଣ ଜୀବନ ବିତାଉଥିବା ଲୋକମାନେ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି।
ଏଲ୍ ନିନୋ ହେଉଛି ଏକ ପ୍ରାକୃତିକ ଜଳବାୟୁ ଘଟଣା। ଏଥିରେ ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ବଢ଼ିଯାଏ । ଏହାର ପ୍ରଭାବରେ ବିଶ୍ୱର ବିଭିନ୍ନ ଅଞ୍ଚଳର ବର୍ଷା, ତାପମାତ୍ରା ଓ ପବନର ସାଧାରଣ ପାଟର୍ନରେ ପରିବର୍ତ୍ତନ ଆସିଥାଏ।କେତେକ ଅଞ୍ଚଳରେ ଏଲ୍ ନିନୋ ଯୋଗୁ ଅତ୍ୟଧିକ ଗରମ ଓ ମରୁଡ଼ିର ବିପଦ ବଢ଼ିପାରେ । ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା, ବନ୍ୟା ଓ ଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବ କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ ମଧ୍ୟ ପଡ଼ିପାରେ।
ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ୪ ଲକ୍ଷ ୫୧ ହଜାର ମୃତ୍ୟୁର ଆକଳନ କୌଣସି ନିଶ୍ଚିତ ଭବିଷ୍ୟବାଣୀ ନୁହେଁ । ଏହା ସମ୍ଭାବ୍ୟ ବିପଦର ଏକ ଆକଳନ। ଏହାକୁ ଆଧାର କରି ସରକାର ଓ ସ୍ଥାନୀୟ ପ୍ରଶାସନ ଆଗୁଆ ପ୍ରସ୍ତୁତି ନେଇପାରିବେ। ଏଲ୍ ନିନୋର ପ୍ରଭାବକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ । କିନ୍ତୁ ସଠିକ୍ ପ୍ରସ୍ତୁତି, ସମୟ ପୂର୍ବରୁ ଜଳବାୟୁ ବିପଦ ଚିହ୍ନଟ ଏବଂ ଅତ୍ୟଧିକ ଗରମ ସମୟରେ ଆବଶ୍ୟକ ପଦକ୍ଷେପ ନେଇ ଏହାର ମାନବୀୟ କ୍ଷତିକୁ କମାଇହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

More Stories
ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍, ରାତି ପାହିଲା ବେଳକୁ…
ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍
କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ