February 4, 2026

Now Odisha

Now Odisha

ଭତ୍ତା ଅର୍ଥ ଆଣିବାକୁ ଟ୍ରଲିରେ ବୁହା ହୋଇ ଗଲେ ୯୧ ବର୍ଷୀଆ ବୃଦ୍ଧା…..

Spread the love

କୁଆଁପାଳ : ଭତ୍ତା ଅର୍ଥ ଆଣିବାକୁ ଟ୍ରଲିରେ ବୁହା ହୋଇ ବ୍ୟାଙ୍କକୁ ଗଲେ ୯୧ ବର୍ଷିଆ ବୃଦ୍ଧା ଶ୍ରୀମତୀ ସାହୁ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାହାପଡା ପଂଚାୟତ ଭଂରାଜ ଗ୍ରାମରେ।
ସୂଚନା ଅନୁଯାୟୀ ଭଂରାଜ ଗ୍ରାମର ବୃଦ୍ଧା ଶ୍ରୀମତୀ ଏବେ ବୟସର ଅପରାହ୍ନରେ ପାଦ ଦେଇ ବାର୍ଦ୍ଦକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ। ପ୍ରକୃତ ବୟସ ଶହେ ହେଲାଣି କିନ୍ତୁ ସରକାରୀ କାଗଜପତ୍ରରେ ୯୧ବର୍ଷ। ଅଶୀ ବର୍ଷ ପାର ହୋଇଥିଲେ ବି ଆଜି ଯାଏ ତାଙ୍କୁ ୮୦ ବର୍ଷୀୟ ଭତ୍ତା ଯୋଜନାରେ ସାମିଲ କରାଯାଇନାହିଁ। ସେ ସେହି ପୁରୁଣା ହିସାବରେ ୧ହଜାର ମାସିକ ଭତ୍ତା ପାଉଛନ୍ତି। ତାଙ୍କୁ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଏହି ଭତ୍ତା ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଛି  ।

ବିଡ଼ମ୍ବନାର ବିଷୟ ଯେ ଶ୍ରୀମତୀ ଶଯ୍ୟାଶାୟୀ ହୋଇଥିଲେ ବି ତାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଭତ୍ତା ଅର୍ଥ ତାଙ୍କ ଘରେ ନେଇ ଦେଉନାହାନ୍ତି। ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନାହାନ୍ତି। ଏପରିକି ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ପୁତ୍ରଙ୍କୁ ଏଥି ନେଇ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ସରକାର  ବୃଦ୍ଧ ବୃଦ୍ଧାଙ୍କୁ ତାଙ୍କ ଘରେ ଭତ୍ତା ଅର୍ଥ ଦେବାର ବ୍ୟବସ୍ଥା କରିଥିଲେ ସୁଦ୍ଧା ଏହାକୁ କୌଣସି ବ୍ୟାଙ୍କ ପାଳନ କରୁନାହାନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ମାହାଙ୍ଗା ଅଂଚଳରେ ଦେଖିବାକୁ ମିଳିଛି। ଭତ୍ତା ଅର୍ଥ ପାଇବା ପାଇଁ ଶଯ୍ୟାଶାୟୀ ମା’କୁ ତାର ପୁତ୍ର ମଧୁସୂଦନ  ଓ ନାତୁଣୀ ଏକ ଟ୍ରଲିରେ ପକାଇ ଘର ଠାରୁ ପ୍ରାୟ ୩ କିମି ଦୂର  ଛାତ୍ରତୋଟା କାନାରା ବ୍ୟାଙ୍କକୁ ଠେଲି ଠେଲି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ଏଭଳି ହୃଦୟ ବିଦାରକ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି। ତୁରନ୍ତ ରାଜ୍ୟ ସରକାର ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ବ୍ୟାଙ୍କ ପରିଚାଳକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

error: Content is protected !!