ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ । ଏନେଇ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ବ୍ରତ ପାଳନ କରିବେ ହବିଷ୍ୟାଳି l ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଆଦିର ବ୍ୟବସ୍ଥା କରାଯାଇଛି l ତତସହିତ ହବିଷ୍ୟାଳୀ ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ତୀର୍ଥ ପୁଷ୍କରିଣୀରେ ହବିଷ୍ୟାଳୀମାନେ ସ୍ନାନ କରିବାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହିତ ହଜାର ହଜାର ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି । ଅନ୍ୟ ଭକ୍ତ ମାନେ ମଧ୍ୟ ମହାପ୍ରଭୁଙ୍କୁ କିଭଳି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ନାଟମଣ୍ଡପ ଭିତରେ ପୋଲିସ, ଜେଟିପିଙ୍କୁ ମୁତୟନ କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କାର୍ତ୍ତିକ ମାସରେ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ଜଣ ସବ ଇନ୍ସପେକ୍ଟର, ୧୦୦ କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। ସେହିପରି ସିସିଟିଭିରେ ସମଗ୍ର ଅଞ୍ଚଳକୁ ନଜର ରଖାଯାଇଥିବା ବେଳେ ଏନେଇ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି । ଲୋକଙ୍କୁ ବିଭିନ୍ନ ସୂଚନା ପ୍ରଦାନ ପାଇଁ ଅଧିକ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

More Stories
୧୦ମ ସଂସ୍କରଣ “ଆମ ନୃତ୍ୟ ଆମ ସଂସ୍କୃତି” ଉଦଯାପିତ ।
ପାରିବାରିକ କଳହର କରୁଣ ପରିଣତି, ବୃଦ୍ଧଙ୍କୁ ହତ୍ୟା ।
ଗ୍ୟାସ୍ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ ।