ପାନୀୟ ଜଳ ଯୋଗାଣ ବନ୍ଦ୍ କୁ ନେଇ ତାତିଲେ ଗ୍ରାମବାସୀ ଦେଲେ ଆନ୍ଦୋଳନ ଧମକ


ବାଲିପାଟଣା: ଗ୍ରାମାଞ୍ଚଳ ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରି ବାହାବା ନେଉଛନ୍ତି ସରକାର,କିନ୍ତୁ ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା । ତିନିଦିନ ହେବ ଜଳଯୋଗାଣ ବନ୍ଦ୍ ହେବାପରେ ତାତିଛନ୍ତି ଗ୍ରାମବାସୀ, କାରଣ ବକେୟା ବିଦ୍ୟୁତ୍ ଦେୟ ତଥା ସ୍ମାର୍ଟ କାର୍ଡ ରୁ ଅର୍ଥ ଶେଷ ହୋଇଯିବାରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।ଫଳରେ ପିଇବା ପାଣି ପାଇଁ ଲୋକମାନେ ଡହଳ ବିକଳ ହେଉଥିବା ଖବର ସାମ୍ନାକୁ ଆସିଚି। ସୂଚନା ଅନୁଯାୟୀ ବାଲିପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଗତ ତିନି ଦିନ ହେଲା ଅଚଳ ହୋଇ ପଡ଼ିଛି ଜଳଯୋଗାଣ ବ୍ୟବସ୍ଥା । ବକେୟା ବିଲ ପଇଠ ହୋଇନଥିବା ତଥା ସ୍ମାର୍ଟ କାର୍ଡ ରୁ ଅର୍ଥ ଶେଷ ହେବା କାରଣରୁ ଏହିସବୁ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ କରାଯାଇଛି । ଫଳରେ ଏହି ପ୍ରକଳ୍ପ ଗୁଡ଼ିକ ଉପରେ ନିର୍ଭର କରୁଥିବା ସାଧାରଣ ଲୋକେ ଏବେ ପାଣି ବିନା ହନ୍ତ ସନ୍ତ ହେଉଛନ୍ତି | ସୂଚନା ଯୋଗ୍ୟ ଯେ ସରକାର କେବଳ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରି କାମ ସାରିଦେଲେ କିନ୍ତୁ ବିଦ୍ୟୁତ୍ ଖର୍ଚ୍ଚ ବହନ କରିବାକୁ ପଡୁଛି ପଞ୍ଚାୟତ କୁ । ସାଧାରଣତଃ ପଞ୍ଚାୟତ ଗୁଡ଼ିକର କୌଣସି ସ୍ଥାୟୀ ଆୟ ପନ୍ଥା ନଥିବାରୁ ସରପଞ୍ଚ ମାନେ ମଧ୍ୟ ଏହି ଦେୟ ଦାଖଲ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ତେବେ ତିନିଦିନ ହେବ ବାଲିପାଟଣା ବ୍ଲକର ମଝିହରା, କୁଳନ୍ତିରା,ବଦଳା ଶାସନ, ତୁରିନ୍ତିରା, ଶ୍ରୀରାମପୁର,ମୁଣ୍ଡହଣା ପାଟଣା,ପଦ୍ମପୁର, ଆଇତଳଙ୍ଗ, ବାରିଲୋ,ପୁବାଗଡ ଏବଂ ଅଠାନ୍ତର ଆଦି ଅଞ୍ଚଳ ଗୁଡିକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ଅଚଳାବସ୍ଥା ଦେଖାଦେଇଛି । ସରକାର ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ପୂର୍ବକ କିପରି ନିରନ୍ତର ପାନୀୟ ଜଳଯୋଗାଣ ହୋଇପାରିବ ସେଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ସମୂହ ଗ୍ରାମବାସୀ ଆସନ୍ତାକାଲି ଠାରୁ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।


error: Content is protected !!