January 26, 2026

Now Odisha

Now Odisha

କଟକରେ ବି ୨ ଘଣ୍ଟା ବାଣଫୁଟା…

Spread the love

କଟକ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଭୁବନେଶ୍ଵର ଭଳି କଟକରେ ବି ବାଣଫୁଟା ପାଇଁ ଦୁଇ ଘଣ୍ଟା ଅନୁମତି ରହିଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟାଇବା ଲାଗି ଅନୁମତି ରହିଛି। ଏ ନେଇ କଟକ ଡିସିପି ରିଷିକେଶ ଖିଲାରି ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ୍‌ର ନଜର ରହିବ ଏବଂ ଯଦି କେହି ଏଥିରେ ଖିଲାପ କରେ , ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାଳୀ ପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବୋଦନଶୀଳ ସ୍ଥାନରେ ପୁଲିସ୍‌ ମୁତୟନ ରହିବେ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି। ତେବେ ଦୀପାବଳିରେ ଭୁବନେଶ୍ଵରରେ ମଧ୍ୟ ରାତି ୯ଟା ପରେ ବାଣଫୁଟାକୁ ବାରଣ କରାଯାଇଛି। ଏ ନେଇ କଡା ନିର୍ଦେଶ ଦେଇଥିଲେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା।
ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସବୁଜ ବାଣ ଫୁଟାଇବାକୁ ପୁଲିସ୍‌ ଜନସାଧାରଣଙ୍କୁ ଅନୁରୋଧ କରିଛି। ଏବଂ ମଦ ପିଇ ଯଦି କେହି ଗାଡି ଚଳାଉଛି ତେବେ ଉକ୍ତ ଚାଳକକୁ ଅଟକ ରଖାଯିବା ସହ ଗାଡିକୁ ଜବତ କରି ପିସିଆର୍‌ ଭ୍ୟାନ୍ ନେଇଯିବ। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦେଶ ରହିଛି। ବେଆଇନ୍ ଭାବେ ବାଣ ବିକ୍ରି କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଣର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ। ବଗିଚା, ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବାରଣ କରାଯାଇଛି ।
ଖୋଲା ଜାଗାରେ ବାଣ ଫୁଟାଇପାରିବେ। କିନ୍ତୁ ତାହା କେବଳ ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇପାରିବେ ନାହିଁ। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

error: Content is protected !!