January 26, 2026

Now Odisha

Now Odisha

ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ…

Spread the love

ନୂଆଦିଲ୍ଲୀ : ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୯,୦୦୦ କୋଟି ଟଙ୍କା) ନିବେଶ କରିବ ଏବଂ ଏହାର ବଦଳରେ ପାକିସ୍ତାନ ସାଉଦି ଆରବରେ ୨୫,୦୦୦ ସୈନିକ ମୁତୟନ କରିବ।
ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନୀର ସାଉଦି ଆରବ ଗସ୍ତ କରିଥିଲେ। ଏହି ସମୟରେ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନଙ୍କ ସହ ଏହି ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଥିଲା।
ପାକିସ୍ତାନ ନିଜର ୪ଟି ବ୍ରିଗେଡ୍, ପାକିସ୍ତାନୀ ବାୟୁସେନାର ୨ଟି ସ୍କ୍ୱାଡ୍ରନ୍ ଏବଂ ୨ଟି ନୌସେନା ଫ୍ଲିଟ୍ ସାଉଦି ଆରବରେ ମୁତୟନ କରିବ। ଏହି ସୈନ୍ୟମାନେ ସାଉଦି ଆରବ ଉପରେ ହେବାକୁ ଥିବା ଯେକୌଣସି ଆକ୍ରମଣରୁ ଦେଶକୁ ରକ୍ଷା କରିବେ। ପାକିସ୍ତାନ ସାଉଦିକୁ ସାମରିକ ଉପକରଣ, ଗୋଳାବାରୁଦ, ମୋର୍ଟାର, ଟ୍ୟାଙ୍କ ଏବଂ କମ୍ ଦୂରତା ମିସାଇଲ୍ ଯୋଗାଇବ। ଏହା ବଦଳରେ ସାଉଦି ଆରବ ଭିତ୍ତିଭୂମି, ଖଣି, ଶକ୍ତି ଏବଂ ନିରାପତ୍ତା କ୍ଷେତ୍ରରେ ୧୦ ବିଲିୟନ ଡଲାର ନିବେଶ କରିବ।
ତେବେ ସାଉଦିରେ ମୁତୟନ ହେବାକୁ ଥିବା ପ୍ରତ୍ୟେକ ପାକିସ୍ତାନୀ ସୈନିକ ମାସିକ ୬,୦୦୦ ସାଉଦି ରିୟାଲ୍ (ପ୍ରାୟ ୧୬୦୦ ଆମେରିକୀୟ ଡଲାର) ଦରମା ପାଇବେ। ସାଉଦି ଆରବ ଭାରତ ଓ ଆଫଗାନିସ୍ତାନ ସହିତ ପାକିସ୍ତାନର ତିକ୍ତତା କମାଇବାରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛି।
ସାଉଦି ଆରବ ପାକିସ୍ତାନଠାରୁ JF-17 ଏବଂ J-10 ଯୁଦ୍ଧ ବିମାନ କିଣିବାକୁ ଆଗ୍ରହୀ ଥିବା ଏବଂ ଇସ୍ରାଏଲ୍‌କୁ ମୁକାବିଲା କରିବା ପାଇଁ ଚାଇନାଠାରୁ ପଞ୍ଚମ ପିଢ଼ିର ଫାଇଟର ଜେଟ୍ କିଣିବା ଉପରେ ଆଲୋଚନା କରୁଥିବା ସୂଚନା ମିଳିଛି।
ଉଭୟ ଦେଶର ବାୟୁସେନା ଓ ନୌସେନା ମଧ୍ୟରେ ଯୁଗ୍ମ ଅଭିଯାନ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୫ ବିଲିୟନ ଡଲାରରୁ ୧୫ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ମଧ୍ୟ ଯୋଜନା କରାଯାଇଛି।

error: Content is protected !!