March 15, 2026

Now Odisha

Now Odisha

ବେଶ କିଛି ସମୟ ଧରି ମୁମ୍ବାଇରେ ଚାଲିଥିବା ପଣବନ୍ଦୀ ସଙ୍କଟରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ପଣବନ୍ଦୀ ଘଟଣାକୁ ସମାଧାନ କରିଛି ପୁଲିସ୍‌।

Spread the love

୧୭ ଜଣ ଛୋଟ ପିଲା, ଜଣେ ବରିଷ୍ଠ ନାଗରିକ ଓ ଆଉ ଜଣେ ସାଧାରଣ ଲୋକଙ୍କୁ ପୁଲିସ ସୁରକ୍ଷିତ ମୁକୁଳାଇବାରେ ସକ୍ଷମ ହୋଇଛି।
ମୁମ୍ବାଇ ର ପୋୱାଇ ଅଞ୍ଚଳରେ ଥିବା ଗୋଟିଏ ବିଲଡିଂର ତଳ ମହଲାରେ ଚାଲିଥିବା ଷ୍ଟୁଡିଓକୁ ଅଡିସନ ଦେବାକୁ ଆସିଥିବା ବେଳେ ସମସ୍ତ ପିଲା ଓ ଅନ୍ୟମାନଙ୍କୁ ଜଣେ ବ୍ୟକ୍ତି ପଣବନ୍ଦୀ କରି ନେଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ସହରରେ ଆତଙ୍କ ଖେଳି ଯାଇଥିଲା।
ଖବର ପାଇ ପୁଲିସ୍ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ପୁଲିସ୍‌ ବେଶ ସତର୍କତାର ସହ ଷ୍ଟୁଡିଓକୁ ଯାଇ ପଣବନ୍ଦୀ ହୋଇ ରହିଥିବା ଛୋଟ ପିଲା ଓ ଅନ୍ୟମାନଙ୍କୁ ଉଦ୍ଧାର କରିଛି। ସେହିପରି ଅପହରଣ ଘଟଣା ପଛରେ ଥିବା ରୋହିତ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।
ଡେପୁଟି କମିଶନର ଅଫ ପୁଲିସ୍‌ ଦତ୍ତା ନାଲାୱାଡେ କହିଛନ୍ତି ଯେ ପୁଲିସ୍‌ ଅଭିଯୁକ୍ତ ପାଖରୁ ଗୋଟିଏ ଏୟାର ଗନ୍‌ ଓ କିଛି କେମିକାଲ୍ସ ଜବତ କରିଛି। ଘଟଣା ପଛରେ ଜଣେ ମାତ୍ର ବ୍ୟକ୍ତି ରହିଥିଲା। ଅଧିକାରୀମାନେ ବାଥରୁମ ବାଟେ ଧସେଇ ପଶିବା ସହ ସମସ୍ତଙ୍କୁ ଉଦ୍ଧାର କରିଥିବା ସେ କହିଛନ୍ତି।
ପୂରା ଘଟଣା ଆରଏ ଷ୍ଟୁଡିଓରେ ଘଟିଛି। ଏଠାରେ ପ୍ରତିଦିନ ଅଭିନୟର ଶିକ୍ଷା ଦିଆଯାଏ। ଏଠାରେ କାମ କରୁଥିବା ରୋହିତ ଆର୍ଯ୍ୟ ନାମକ ବ୍ୟକ୍ତି ସମସ୍ତଙ୍କୁ ପଣବନ୍ଦୀ କରି ରଖିଥିଲା। ସେ ନିଜେ ମଧ୍ୟ ଗୋଟିଏ ୟଟ୍ୟୁବ ଚ୍ୟାନେଲ ଚଳାଏ। ୪ରୁ ୫ ଦିନ ହେବ ଷ୍ଟୁଡିଓରେ ରୋହିତ ଅଡିସନ କରି ଆସୁଥିଲା। ଗୁରୁବାର ସକାଳେ ପ୍ରାୟ ୧୦୦ ଜଣ ପିଲା ଅଡିସନ ପାଇଁ ଆସିଥିଲେ। ଏହାପରେ ସେ ପ୍ରାୟ ୭୫ ଜଣଙ୍କୁ ଛାଡ଼ି ଦେଇଥିଲା। ବାକି ୧୭ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା।
ସମସ୍ତଙ୍କୁ ପଣବନ୍ଦୀ କରିବା ପରେ ସେ ଗୋଟିଏ ଭିଡିଓ ମେସେଜ ଜାରି କରିଥିଲା। ଏଥିରେ ସେ ନିଜକୁ ରୋହିତ ଆର୍ଯ୍ୟ ଭାବେ ପରିଚୟ ଦେଇଥିଲା। ସେ କହିଥିଲା, “ଏହି ପିଲାମାନଙ୍କୁ ପଣବନ୍ଦୀ କରି ରଖିବା ପଛରେ ମୋର ଗୋଟିଏ ଯୋଜନା ରହିଛି। ମୁଁ ଏହାକୁ ଯେମିତି ହେଲେ କାର୍ଯ୍ୟକାରୀ କରିବି। ଯଦି ମୁଁ ବଞ୍ଚି ରହିବି, ତା’ହେଲେ ନିଶ୍ଚିତ କରିବି। ଯଦି ମୁଁ ମରିଯାଏ, ତା’ହେଲେ ଆଉ କେହି ଏପରି କରିବ।
କିନ୍ତୁ ଏହା ନିଶ୍ଚିତ ହେବ। ଏହା ପ୍ରତିଟି ପିଲାଙ୍କ ସହ ହେବ। ଯଦି କେହି କୌଣସି ଚାଲାକି ଦେଖାଇବେ, ତା’ହେଲେ ପୂରା ବିଲଡିଂରେ ନିଆଁ ଲଗାଇ ଦେବି। ସମସ୍ତେ ମରିବେ। ମୁଁ ମରିବି କି ନାହିଁ ଜାଣିନି। କିନ୍ତୁ ପିଲାମାନେ ଅଯଥାରେ ଆଘାତ ପାଇବେ। ସେମାନଙ୍କ ମାନସିକ ଭାର ବଢ଼ିବ।
ନିଶ୍ଚିତ କିଛି ଗୋଟେ ଘଟିବ। ତେଣୁ ଏଥିପାଇଁ ମୋତେ ଦାୟୀ କରା ନ ଯାଉ। ମୋତେ କେହି ବି ଉସକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ମୁଁ ଜଣେ ସାଧାରଣ ଲୋକଙ୍କ ଭଳି କଥା ହେବାକୁ ଚାହେଁ। ମୋ କଥାବାର୍ତ୍ତା ସରିଲେ, ମୁଁ ନିଜେ ଧରା ଦେବି। ମୁଁ ଏକା ନୁହେଁ। ମୋ ସହ ଅନେକ ଲୋକ ଅଛନ୍ତି।
ଅନେକ ଲୋକଙ୍କ ସହ ଏପରି ସମସ୍ୟା ରହିଛି। ମୁଁ ସମାଧାନର ବାଟ ବତାଇବି। କେବଳ ଆଲୋଚନା ଦ୍ୱାରା। ଦୟା କରି ମୋତେ ଉସକାନ୍ତୁ ନାହିଁ। ମୁଁ କାହାର କିଛି କରିବି ନାହିଁ। ମୁଁ କେବଳ କିଛି ଲୋକଙ୍କ ସହ କଥା ହୋଇ ପ୍ରଶ୍ନ ପଚାରିବି ଓ ଉତ୍ତର ଦେବି। ମୁଁ ଆତଙ୍କବାଦୀ ନୁହେଁ।”
ଭିଡିଓ ବାର୍ତ୍ତା ପରେ ପୁଲିସ୍‌ ପୂରା ଅଞ୍ଚଳରେ ଘେରା ବନ୍ଦୀ କରି ଫିଲ୍ମ ଷ୍ଟାଇଲରେ ଷ୍ଟୁଡିଓ ଭିତରକୁ ଯାଇ ପଣବନ୍ଦୀମାନଙ୍କୁ ମୁକୁଳାଇଛି। ଏବେ ରୋହିତକୁ ଗିରଫ କରି ଅଧିକ ତଦନ୍ତ କରୁଛି।

error: Content is protected !!