March 14, 2026

Now Odisha

Now Odisha

ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ପୁଲିସ ବାବୁ। ମଦ ନିଶାରେ ଜଣେ ଏଏସ୍‌ଆଇ ନିଜର ଗାଡ଼ିକୁ ଏକାଧିକ ବାଇକ ଉପରେ ଚଢ଼ାଇ ଦେଇଛନ୍ତି। ଏପରି କି ମଦୁଆ ପୁଲିସ ବାବୁ ଜଣେ ଶିକ୍ଷକଙ୍କ ଉପରେ ଗାଡ଼ି ମଡ଼ାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମଦ୍ୟପ ପୁଲିସ ବାବୁଙ୍କ ଯୋଗୁ ମଧ୍ୟପ୍ରଦେଶ ର ନୀମୁଚ-ଜୱାଦ ରାସ୍ତାରେ ଉପସ୍ଥିତ ଥିବା ଲୋକମାନେ ପୂରା ଆତଙ୍କିତ ହୋଇ ପଡ଼ିଛନ୍ତି।ନୀମୁଚର ଭାରଭାଡିଆ ଗାଁ ନିକଟରେ ପୂରା ଘଟଣା ଘଟିଥିବା ବେଳେ ପୁଲିସ୍‌ ବାବୁଙ୍କ ଗାଡ଼ି ଧକ୍କାରେ ଜଣେ ଶିକ୍ଷକ ଆଖି ବୁଜିଛନ୍ତି। ତାଙ୍କର ପତ୍ନୀ ଓ ଦୁଇ ଛୋଟ ଛୁଆ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଏଏସଆଇ ମନୋଜ ଯାଦବ ଏତେ ମଦ ପିଇଥିଲେ ଯେ ସେ ଠିକ ଭାବେ ଛିଡ଼ା ହୋଇ ପାରୁ ନଥିଲେ। ସେହି ଅବସ୍ଥାରେ ସେ ଗାଡ଼ି ଚଳାଇବା ସହ ଗୋଟିଏ ପରେ ଗୋଟିଏ ବାଇକୁ ରାସ୍ତାରେ ଧକ୍କା ଦେଇ ଚାଲିଥିଲେ। ତାଙ୍କ ଗାଡ଼ି ଧକ୍କାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଜଣେ ଶିକ୍ଷକଙ୍କ ମୃତ୍ୟୁ ମଧ୍ୟ ହୋଇଛି।ସିରିଜ ଦୁର୍ଘଟଣା ପରେ ଯାଦବ ଗାଡ଼ିରୁ ବାହାରୁ ଥିଲେ। ତାଙ୍କ ପାଟିରୁ ମଦର ଗନ୍ଧ ବାହାରୁଥିଲା। ସେ ଗାଡ଼ିରୁ ଟଳମଳ ଅବସ୍ଥାରେ ଓହ୍ଲାଇବା ବେଳେ ଲୋକମାନେ ରାସ୍ତାରେ ରକ୍ତାକ୍ତ ହୋଇ ପଡ଼ି ରହିଥିଲେ। ପୁଲିସ୍‌ ପରବର୍ତ୍ତୀ ଅବସ୍ଥାରେ ଯାଦବଙ୍କ ଗାଡ଼ିରୁ ମଦ ବୋତଲ ଓ ଗ୍ଲାସକୁ ଜବତ କରିଛି।ଏଏସ୍‌ଆଇ ଯାଦବଙ୍କ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ଦଶରଥ। ସେ ତାଙ୍କ ପତ୍ନୀ ଲଳିତା ବାଈ(୩୫), ପୁଅ ହରର୍ଷିତ(୧୦) ଓ ଝିଅ ଜୟା(୬)ଙ୍କ ସହ ପରିବା କିଣି ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କୁ ଧକ୍କା ଦେଇଥିଲେ ଯାଦବ। ଦଶରଥ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରି ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିପରି ନୀମୁଚ ଏସ୍‌ପି ତୁରନ୍ତ ଏଏସ୍‌ଆଇ ଯାଦବଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।

Spread the love
error: Content is protected !!