ଭୁବନେଶ୍ବର/ ନୂଆପଡ଼ା: ଜିନ୍ଦାବାଦ, ଆରୋପ-ପ୍ରତ୍ୟାରୋପର ରାଜନୀତି ସରିବା ପରେ ମଙ୍ଗଳବାର ନୂଆପଡ଼ା ଉପ-ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ସୁରୁଖୁରୁରେ ଭୋଟ ଗ୍ରହଣ ହୋଇଛି। ସନ୍ଧ୍ୟା ୮ଟା ସୁଦ୍ଧା ପ୍ରାୟ ୮୧.୪୫% ମତଦାନ ହୋଇଛି। ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନ୍ରେ ସିଲ୍ ହୋଇଛି।
ଆସନ୍ତା ୧୪ରେ ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍.ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଶୃଙ୍ଖଳାରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୩୫୮ ମତଦାନ କେନ୍ଦ୍ରରେ ମକ୍ ପୋଲ ସଫଳତାର ସହ ସମାପ୍ତ ହୋଇଥିଲା। ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ୩ଟି ବାଲଟ୍ ୟୁନିଟ୍ ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳା ଯାଇଥିଲା।
ପୂର୍ବାହ୍ଣ ୧୧ଟାରେ ମତଦାନ ହାର ୩୨.୫୧% ଥିବାବେଳେ ଅପରାହ୍ଣ ୩ଟା ସୁଦ୍ଧା ୬୫.୨୦% ଭୋଟ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୫ଟା ବେଳକୁ ୭୫.୩୭% ଭୋଟ୍ ଗ୍ରହଣ କରାଯାଇଥିଲା। ୧୬୫ଟି ବୁଥ୍ରେ ମତଦାନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ବୁଥ୍ରେ ମତଦାତା ଥିବାରୁ ମତଦାନ ଚାଲିଥିଲା।
ମତାଦାତାଙ୍କ ଗୋପନୀୟତା ପ୍ରଘଟ କରିବା ଅଭିଯୋଗରେ ନିର୍ବାଚନ ଦାୟିତ୍ବରେ ଥିବା ୨ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ବିଶେଷ କରି ଅତି ସମ୍ବେଦନଶୀଳ କୁହାଯାଉଥିବା ସୁନାେବଡ଼ା ଅଭୟାରଣ୍ୟ ଅଞ୍ଚଳର ୮ଟି ବୁଥ୍ରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ପରେ ବାୟୁସେନା ବିମାନରେ ଇଭିଏମ୍ ଧରି ନିର୍ବାଚନ ପରିଚାଳନାକାରୀ ନିର୍ଦ୍ଧାରିତ ସମୟରେ ଫେରି ଆସିଛନ୍ତି।
ଚୂଡ଼ାନ୍ତ ଖବର ଅନୁସାରେ, ୮୧.୪୫ ପ୍ରତିଶତ ମତଦାନ ହୋଇଛି; ଯାହା କି ୨୦୨୪ ସାଧାରଣ ନିର୍ବାଚନଠାରୁ ଅଧିକ। ଗତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ୭୫.୪୪ ପ୍ରତିଶତ ମତଦାନ ହୋଇଥିଲା। ଶେଷ ଖବର ଅନୁସାରେ, ୧ଲକ୍ଷ ୯୯ ହଜାର ୭୩୮(୭୮.୪୮ ପ୍ରତିଶତ) ମତଦାନ ହୋଇଛି। ସୁନାବେଡ଼ା ଅଭୟାରଣ୍ୟର ମାଓ ପ୍ରବଣ ସୋସେଙ୍ଗସ୍ଥିତ ୨ଟି, ଦେଓସିଲ, ସୁନାବେଡ଼ାର ୨ଟି, ଜାମଗାଁ, ଗତିବେଡ଼ାର ୨ଟି ବୁଥ୍ (ମୋଟ୍-୮ଟି ବୁଥ)ରେ ୪ହଜାର ୮୭୬ ମତଦାତା ଥିବାବେଳେ ୪୦୧୪ ମତଦାନ (୮୨.୩୪ ପ୍ରତିଶତ) ହୋଇଛି।

More Stories
ବରିଷ୍ଟ ଆଇନଜୀବୀଙ୍କୁ ସମ୍ନାନିତ କଲେ ଅତିରିକ୍ତ ଜିଲ୍ଲା ଜଜ |
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |