March 14, 2026

Now Odisha

Now Odisha

ଭାରତର ସାର୍ବଭୌମ୍ୟ ଓ ଏକତା ଅକ୍ଷୂଣ୍ଣ ରଖିବାକୁ ଆହ୍ୱାନ.

Spread the love

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରା ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ବାହାରି ରାମମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସବୁବର୍ଗର ଜନସାଧାରଣ ସାମିଲ ହୋଇଥିଲେ।

କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ଏକତା ପଦଯାତ୍ରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସର୍ଦ୍ଧାର ସାମିଲ ହୋଇ ବଲ୍ଲଭଭାଇ ପଟେଲଙ୍କ ଅବଦାନ ଓ ତ୍ୟାଗର ସ୍ମୃତିଚାରଣ କରିଥିଲେ। ଲୌହମାନବଙ୍କ ବଳିଷ୍ଠ ନେତୃତ୍ୱରେ ସ୍ୱାଧୀନତା ପରବର୍ତ୍ତୀ ଭାରତର ଏକତା ଓ ସଂହତି ପ୍ରତିଷ୍ଠିତ ହୋଇପାରିଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ।

ସେହିଭଳି କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭାରତର ସାର୍ବଭୌମ୍ୟ ଓ ଏକତା ଅକ୍ଷୂଣ୍ଣ ରଖିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଏକାମ୍ର ବିଧାୟକ ବାବୁ ସିଂ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଅନୁରୂପ ଭାବରେ ଭାରତରତ୍ନ ସର୍ଦ୍ଦାର ପଟେଲଙ୍କର ତ୍ୟାଗ ଓ ଅବଦାନ ସଂପର୍କରେ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ର ସଭାପତି ସମୀର ମହାନ୍ତି, ସମାଜସେବୀ ଜଗନ୍ନାଥ ପ୍ରଧାନ, ମନମୋହନ ସାମଲ, ଭୁବନେଶ୍ୱର ବିଡ଼ିଓ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ାଧିକାରୀ ଗୀତାଞ୍ଜଳି ପଣ୍ଡା, ସମସ୍ତ କର୍ପୋରେଟର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ପଂଚାୟତ ସ୍ତରୀୟ ଜନ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ଥିଲେ।

error: Content is protected !!