January 26, 2026

Now Odisha

Now Odisha

ଦିନସାରା ଜଳୁଛି ଷ୍ଟ୍ରିଟଲାଇଟ : BMC ବେଫିକର ।

Spread the love

ଭୁବନେଶ୍ୱର ସ୍ମାର୍ଟସିଟି ବାସୀଙ୍କୁ ଉତ୍ତମମାନର ଷ୍ଟ୍ରିଟ ଲାଇଟ ସେବା ଯୋଗାଇଦିଆଯାଉଛି ବୋଲି ବିଏମସି କହୁଛି।ଏଥିପାଇଁ ବିଏମସି ବାର୍ଷିକ ପ୍ରାୟ ୧୫ କୋଟିରୁ ଊର୍ଧ୍ୱ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛି।କେବଳ ଏଥିରେ ବ୍ୟବହାର ହେଉଥିବା ବିଜୁଳି ଦେୟ ବାବଦକୁ ପ୍ରାୟ ୧୩ କୋଟିରୁ ଊର୍ଧ୍ୱ ଟଙ୍କା ବିଏମସି ଖର୍ଚ୍ଚ କରୁଛି।ଜନସାଧାରଣଙ୍କ ସେବାରେ ସମଗ୍ର ଭୁବନେଶ୍ୱର ସହରାଞ୍ଚଳରେ ପାଖାପାଖି ମୋଟ ୭୭ ହଜାର ଷ୍ଟ୍ରିଟଲାଇଟ ପଏଣ୍ଟ ଓ ୧୩୧ ରୁ ଅଧିକ ହାଇମାଷ୍ଟ ଲାଇଟ ମଧ୍ୟ ବ୍ୟବହାର ହେଉଛି ବୋଲି ବିଏମସି ପକ୍ଷରୁ କୁହାଯାଉଛି।ଏହି ସେବାର ସୁପରିଚାଳନା ପାଇଁ ଏସବୁର ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ବିଏମସି ବିଦ୍ୟୁତ ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ,୨ଜଣ କନିଷ୍ଠ ଯନ୍ତ୍ରୀ,ଜଣେ କନିଷ୍ଠ ସହାୟକ,ଅନ୍ୟାନ୍ୟ ଅଫିସ କର୍ମଚାରୀ ଓ କ୍ଷେତ୍ରକର୍ମଚାରୀଙ୍କ ସମେତ ମୋଟ ପ୍ରାୟ ୭୫ ଜଣ ନିୟୋଜିତ ହୋଇଥିବା କୁହାଯାଉଛି।

ଏହାବାଦ ଏଥିରେ ୩ ଗୋଟି ବେସରକାରୀ ଠିକା ସଂସ୍ଥା ତଥା ପ୍ରାଇଭେଟ ଏଜେନ୍ସୀକୁ ଏହାର ମରାମତି ଓ ଆନୁସଙ୍ଗିକ ସାମଗ୍ରୀ ଯୋଗାଣ ନିମନ୍ତେ ମଧ୍ୟ ଦାଇତ୍ୱ ନ୍ୟସ୍ତ କରାଯାଇଛି।ବିଏମସିର ବିଦ୍ୟୁତ ବିଭାଗ ଅନ୍ତର୍ଗତ ଏହି ଷ୍ଟ୍ରିଟଲାଇଟ ସେକ୍ସନ ଅଧୀନରେ ଏମାନେ କାର୍ଯ୍ୟନିର୍ବାହ କରନ୍ତି।ମାତ୍ର କ୍ଷେତ୍ର ଦାଇତ୍ୱରେ ଥିବା ସମ୍ପୂକ୍ତ ବିଭାଗୀୟ ଅଧିକାରୀ,କର୍ମଚାରୀ ଓ ଠିକାସଂସ୍ଥାର ଅବହେଳା ତଥା ଦାଇତ୍ୱହୀନତା କାରଣରୁ ସହରର ଅନେକ ସ୍ଥାନରେ ଅଯଥାରେ ଦିନ ତମାମ ଷ୍ଟ୍ରିଟ ଲାଇଟ ଜଳୁ ଥିବାର ଦେଖାଯାଉଛି।ସ୍ୱୟଂକ୍ରିୟ ଭାବେ ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ନିର୍ଦ୍ଦିଷ୍ଟ ସମୟରେ ଏହି ଆଲୁଅ ସବୁ ଜଳି ରାତି ପାହିବା ପରେ ଅର୍ଥାତ ଭୋର ପରେ ତଥା ସକାଳେ ଆପେ ଆପେ ଉର୍ଦ୍ଦିଷ୍ଟ ସମୟରେ ଲିଭିଯିବାର ବ୍ୟବସ୍ଥା କରାଯାଇଛି।ଏହାକୁ ବ୍ୟବସ୍ଥିତଭାବେ କାର୍ଯ୍ୟକ୍ଷମ କରିବାକୁ ସେନ୍ସର ସଂଯୁକ୍ତ ସ୍ୱୟଂକ୍ରିୟ ଇଲେକ୍ଟ୍ରୋନିକ ଟାଇମର ସବୁ ମଧ୍ୟ ଏଥିରେ ଖଞ୍ଜାଯାଇଛି।

ମାତ୍ର ନିୟମିତ ଉପଯୁକ୍ତ ଭାବେ କ୍ଷେତ୍ର ପରିଦର୍ଶନ କରି ଏହାର ତଦାରାଖ ତଥା ଯାଞ୍ଚ କରାଯାଉନଥିବାରୁ ଏଥିରେ ଏଭଳି ତ୍ରୁଟି ବିଚ୍ୟୁତି ହେବା ଲକ୍ଷ୍ୟ କରାଯାଉଛି।ଏପରିକି ରାଜଧାନୀର ଅନେକ ସ୍ଥାନରେ ଦୀର୍ଘ ମାସ ମାସ ଧରି ଦିବାରାତ୍ର ଷ୍ଟ୍ରିଟଲାଇଟ ଜଳୁଥିଲେହେଁ ସେଥିପ୍ରତି ବିଭାଗୀୟ କ୍ଷେତ୍ର ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ନିଘା ନାହିଁ।ଏହାଫଳରେ ଅଯଥାରେ ଦିନସାରା ଏହି ଲାଇଟ ସବୁ ଜଳି ବିପୁଳ ବିଦ୍ୟୁତ ଶକ୍ତିର ଅପଚୟ/ଅପବ୍ୟବହାର ହେଉଛି।ଏଥି ଯୋଗୁଁ ଅଯଥା ବିପୁଳ ଶକ୍ତି ଅପଚୟ ଘଟି ସେ ବାବଦରେ ଲକ୍ଷ ଲକ୍ଷ ଟଙ୍କା ବର୍ବାଦ ହେଉଛି।ମାତ୍ର ବିଭାଗୀୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଏଥିପ୍ରତି ବେଫିକର।ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରବିବାର ସ୍ଥାନୀୟ ସିରିପୁର ଜାଗମରା ମୁଖ୍ୟ ରାସ୍ତା ମେଡିଆନରେ ଥିବା ପ୍ରାୟ ୪୦ ରୁ ଊର୍ଧ୍ୱ ଷ୍ଟ୍ରିଟ ଲାଇଟ।

ଏଗୁଡ଼ିକ ଦିନ ସାରା ଜଳୁଥିବା ଦେଖିବାକୁ ମିଳିଥିଲା।ସେହିପରି ସ୍ଥାନୀୟ କଟକ ରୋଡ଼ର ବୁଦ୍ଧେଶ୍ବରୀ ମନ୍ଦିର ନିକଟରୁ ପୁରୁଣା ଷ୍ଟେସନ ବଜାର ଛକ ଦେଇ କଳ୍ପନା ଛକ ରାସ୍ତାର ମେଡିଆନରେ ଥିବା ପ୍ରାୟ ଶତାଧିକ ଷ୍ଟ୍ରିଟଲାଇଟ ଦିନ ସାରା ଜଳୁଥିବା ଦେଖାଯାଇଥିଲା।ଏହାଛଡ଼ା ଖାରବେଳ ନଗରର ବ୍ଲାଇଣ୍ଡ ଆସୋସିଏସନ ସମ୍ମୁଖ ରାସ୍ତା,ସତ୍ୟନଗର ଫ୍ଲାଇଓଭର ବ୍ରିଜ ନିକଟସ୍ଥ ରେଲୱେ କୋଚିଂ ଡିପୋ ସମ୍ମୁଖ ରାସ୍ତାପାର୍ଶ୍ଵ,ବୁଦ୍ଧେଶ୍ୱରୀ କଲୋନୀର କିଛି ସ୍ଥାନ,କଳ୍ପନାଫ୍ଲାଟ ଅଂଚଳ ଓ ବିଜେବି ନଗର ଅଂଚଳର କେତେକ ସ୍ଥାନରେ ଥିବା ରାସ୍ତା ଲାଇଟ ଦୀର୍ଘ ମାସ ମାସ ଧରି ନଲିଭି ଦିନମାନ ଜଳୁଥିବା ଦେଖାଯାଉଛି।ତେବେ ଏହି ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀ ଓ କର୍ମଚାରୀମାନେ ଏଥିପାଇଁ ନିହାତି ଉତ୍ତରଦାୟୀ ବୋଲି କୁହାଯାଉଥିବାବେଳେ ଏହି ସେବାରେ ଘଟୁଥିବା ଏଭଳି ବିଭ୍ରାଟକୁ ନେଇ ସହରର ସଚେତନ ନାଗରିକ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି

error: Content is protected !!