January 26, 2026

Now Odisha

Now Odisha

ଖଣି ଲୁଟେରାଙ୍କ ପାଇଁ ଝାରପଡା ଓ କେନ୍ଦୁଝର ଜେଲ ପ୍ରସ୍ତୁତ ହୋଇ ରହିଛି: ମୁଖ୍ୟମନ୍ତ୍ରୀ

Spread the love

ବିଜେଡି ସରକାର କେନ୍ଦୁଝରକୁ ଲୁଟ୍ କରି ଚାଲିଥିଲେ । କେନ୍ଦୁଝର ଖଣିରୁ ଲୁଟ୍‌ର ତତ୍କାଳୀନ ରାଜ୍ୟ ସରକାର ଓ ପ୍ରଶାସନ ସମ୍ପୃକ୍ତ ଥିଲା । ଆଜି ଓଡ଼ିଆ ସଙ୍କଟରେ ଥିବା ବେଳେ କେନ୍ଦୁଝରର ଅସ୍ମିତା ମଧ୍ୟ ସଙ୍କଟରେ ରହିଛି । କେନ୍ଦୁଝରକୁ ଲୁଟ୍ କରିଥିବା ଅଣ ଓଡ଼ିଆ, ଅଣ କେନ୍ଦୁଝରିଆ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଆମ ସରକାର ଛାଡ଼ିବେ ନାହିଁ ।ସେମାନଙ୍କ ପାଇଁ ଝାରପଡା ଓ କେନ୍ଦୁଝର ଜେଲ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।କେନ୍ଦୁଝରର ପୁଅ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସି ଆନନ୍ଦପୁର ଓ ପରେ ନିଜ ଗ୍ରାମ ରାଇକଳାରେ ଏକ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ୟାପନୀ ଉତ୍ସବରେ ଯୋଗ ଦେଇଥିଲେ । ରାତି ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ପହଞ୍ଚିଥିଲେ । ହଜାର ହଜାର ସମର୍ଥକ ତାଙ୍କୁ ମାଧପୁର ଠାରୁ ବିଶାଳ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଥିଲା । ନୂଆପଡା ଉପନିର୍ବାଚନରେ ବିଜେପିର ବିଜୟ ପାଇଁ ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରୁ ବିଜୟ ଏକତରଫା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ହଜାର ହଜାର କେନ୍ଦୁଝରବାସୀ ଓ ବିଭିନ୍ନ ସଙ୍ଗଠନ ଉପସ୍ଥିତ ରହି ଶ୍ରୀ ମାଝୀଙ୍କୁ ଫୁଲତୋଡା ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ ।ସମ୍ବର୍ଦ୍ଧନା ସଭାରେ ଶ୍ରୀ ମାଝୀ କହିଲେ ଖଣି, ପାଣି ଓ ବୈତରଣୀର କେନ୍ଦୁଝର ଆଉ ଗରିବ ହୋଇ ରହି ନାହିଁ । କେନ୍ଦୁଝରର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କେନ୍ଦୁଝରକୁ ଦେଶରେ ଏକ ନମ୍ବର ଜିଲ୍ଲା କରି ଗଢି ତୋଳିବୁ । କେନ୍ଦୁଝରକୁ ସୁନାର କେନ୍ଦୁଝର ଓ ସ୍ମାର୍ଟ କେନ୍ଦୁଝରରେ ପରିଣତ କରାଯିବ । ରାଜ୍ୟର ଦୁର୍ନୀତିଗ୍ରସ୍ତ ସରକାରର ପତନ ହେବା ପାଇଁ ଲୋକେ ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଡ଼ବଲ ଇଞ୍ଜିନ ସରକାର ଗଠନ ହୋଇଛି । କେନ୍ଦୁଝରର ଜଣେ ଆଦିବାସୀ ଲୋକଙ୍କୁ ରାଜ୍ୟର ନେତୃତ୍ୱ ନେବା ପାଇଁ ଆପଣମାନେ ଆଶୀର୍ବାଦ କରିଛନ୍ତି । ଆପଣଙ୍କ ଆଶୀର୍ବାଦକୁ ମୁଁ ଉଚିତ ସମ୍ମାନ ନିଶ୍ଚିତ ଦେବି ।
ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଓ ଶପଥ ଗ୍ରହଣର ଏକଘଣ୍ଟା ମଧ୍ୟରେ କ୍ୟାବିନେଟ୍ ନିଷ୍ପତ୍ତି କ୍ରମେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ଭାଉଚର ପ୍ରଦାନ କରାଯାଇଛି । ବିଗତ ଦଶ ବର୍ଷରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍ ବିଗତ ସରକାର ଦେଇ ପାରିନଥିବା ବେଳେ ମୋହନ ସରକାର ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ କୁଇଣ୍ଟାଲ ପିଛା ଧାନ କ୍ରୟ କରିଛନ୍ତି । ଆଗାମୀ ଦିନରେ ଜିଲାର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠିରେ ସର୍ବାଧିକ ରାଜସ୍ୱ ଆଦାୟ କରି କେନ୍ଦୁଝର ଭାରତ ବର୍ଷରେ ଏକ ନମ୍ବର ରହିଥିବା ସେ କହିଥିଲେ । ଏବେ ବି କେନ୍ଦୁଝର କୋଷାଗାରରେ ୨୫ ହଜାର କୋଟି ଟଙ୍କା ଜିଲ୍ଲାର ବିକାଶ ପାଇଁ ମହଜୁଦ ରହିଛି । ବିଗତ ସରକାର ଓ କେତେକ ପ୍ରଶାସନିକ ଅଧିକାରୀ ଡିଏମ୍ଏଫ୍କୁ ଲୁଣ୍ଠନ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀକୁ ଜେଲ ପଠାଯିବ । ଲୋକଙ୍କ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବା କାହାରିକୁ ଛଡା ଯିବନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ଆଉ ସ୍ୱପ୍ନ ନୁହେଁ ବାସ୍ତବରେ ପରିଣତ ହେବାକୁ ଯାଉଛି । ୪ ହଜାର କୋଟି ଟଙ୍କା ବିନିଯୋଗରେ ମେଗା ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଛି । ଜେ.ଏସ.ଡବ୍ଲୁ ଓ ପୋସ୍କୋ ସହିତ ଏମ୍ଓୟୁ କରାଯାଇଛି । ଉତ୍ତର ଓଡ଼ିଶାର କେନ୍ଦୁଝରରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେଲେ ପଡୋଶୀ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଉପକୃତ ହୋଇପାରିବ । ଜିଲ୍ଲାରେ ଦୈତାରୀ ଗନ୍ଧମାର୍ଦ୍ଦନ ଖଣି, ଯୋଡା ଓ ବଡ଼ବିଲରେ ଭରପୂର ଖଣିଜ ପଦାର୍ଥ ରହିଛି । ନରଣପୁରରେ ୪୦୦ ଏମଭିଏ ବିଦ୍ୟୁତ ଗ୍ରୀଡ୍ ମଧ୍ୟ ରହିଛି । ପରିବହନ ପାଇଁ ଉଭୟ ରେଳପଥ ଓ ରାଜପଥ ରହିଛି । ଶିଳ୍ପ ପାଇଁ ବୈତରଣୀ ନଦୀ ଜଳକୁ ବ୍ୟବହାର କରିବାର ସୁଯୋଗ ରହିଛି । ଆସନ୍ତା ମାସ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପଲ୍ଲୀସଭା ଆରମ୍ଭ ହୋଇଯିବ ।
ଏହାସହିତ କେନ୍ଦୁଝରରେ ରିଂ ରୋଡ ପାଇଁ ଡିପିଆର ପ୍ରସ୍ତୁତ ସରିଛି । ୪୫୦ କୋଟି ଟଙ୍କାରେ ନେଙ୍କଡାଘର ଠାରୁ ଏକ ରିଂ ରୋଡ ନିର୍ମାଣ ହେବ । ଏହାସହିତ ଟେକ୍ସଟାଇଲ ପାର୍କ, ଆଇଟି ହବ୍ ସହିତ ୧ଲକ୍ଷ କୋଟି ଟଙ୍କା ବିନିଯୋଗରେ ଅନେକ ଶିଳ୍ପ ପ୍ରତିଷ୍ଠା କେନ୍ଦୁଝର ଜିଲ୍ଳାରେ ହେବା ପାଇଁ ଏମ୍ଓୟୁ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ, ଅଖିଳ ଚନ୍ଦ୍ର ନାଏକ, ନଗରପାଳ ନିକୁ ସାହୁ, ବିଜେପି ଜିଲ୍ଳା ସଭାପତି ଶୁକଦେବ ମହାନ୍ତ, ଅଂଶୁମାନ ସବୁଜ ମହାନ୍ତ ବର୍ମା, ଦିଲ୍ଲୀପ ପଣ୍ଡା, ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିରଜା ମିଶ୍ର କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ ।

error: Content is protected !!