ଭୁବନେଶ୍ୱର: ଦଳୀୟ ନେତାମାନଙ୍କୁ ଅଣଦେଖା କରି ଦଳର ଯୁବ ଓ ଛାତ୍ର ସଭାପତିଙ୍କୁ ନିଯୁକ୍ତି ଦିଆଯିବା ଏବେ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଦଳର ଛାତ୍ର, ଯୁବ ଓ ବରିଷ୍ଠ ନେତାମାନେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରି ବିଭିନ୍ନ ସ୍ଥାନରେ ମେଳି କରୁଥିବାବେଳେ ନବନିଯୁକ୍ତ ଯୁବ ସଭାପତି ଚିନ୍ମୟ ସାହୁ ଗଣମାଧ୍ୟମ ଜରିଆରେ ଅଭିସନ୍ଧିମୂଳକ ଚେତାବନୀପୂର୍ଣ୍ଣ ବୟାନ ଦେଇ ଏହି ଅସନ୍ତୋଷକୁ ଉଗ୍ର କରାଇଛନ୍ତି। କେବଳ ସେତିକି ନୁହେଁ, ବର୍ତ୍ତମାନ ପରିସ୍ଥିତିରେ ନିଜର ଅପରିପକ୍ୱତା ଓ ଅନଭିଜ୍ଞତା ଦେଖାଇ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ‘ସୁଚିନ୍ତିତ ରଣନୀତି’କୁ ମଧ୍ୟ ସାମ୍ନାକୁ ଆଣିବାକୁ ଏହି ନବନିଯୁକ୍ତ ଯୁବ ଓ ଛାତ୍ର ସଭାପତି ପଛାଇନଥିବା ଜଣାପଡ଼ିଛି। ଗଣମାଧ୍ୟମରେ ଖୋଲାଖୋଲି ‘ପାଣ୍ଡିଆନ ଦମ୍ପତି’ଙ୍କ ବିଜେଡିରେ ଏଂଟ୍ରି ପାଇଁ ଓକିଲାତି ଓ ଉତ୍ତରାଧିକାରୀ ସୂତ୍ରରେ ନେତୃତ୍ୱ ନେଇଥିବା ଯୁବ ନେତାମାନଙ୍କୁ ନାଲିଆଖି ଦେଖାଇବା ଏବଂ ଅସନ୍ତୁଷ୍ଟ ଯୁବ-ଛାତ୍ର ନେତାମାନଙ୍କର ଶଙ୍ଖ ଭବନରେ ମେଳିକୁ ଦମନ କରାଯିବା ପାଇଁ ନୋଟିସ୍ ଜାରି ପଛରେ ପାଣ୍ଡିଆନ ଦମ୍ପତିଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।
ଚିନ୍ମୟ ଦେଖାଇଲେ ନାଲିଆଖି, ବ୍ୟୋମକେଶଙ୍କ କଟକଣା
ବାଣୀବିହାର କ୍ୟାମ୍ପସ ବାହାରେ ରାଜନୀତିର ଅଭିଜ୍ଞତା ଓ ପରିଚୟ ନଥିବା ସତ୍ତ୍ୱେ ଯୁବ ବିଜେଡି ସଭାପତି ଭାବେ ଘୋଷଣାର କିଛି ଘଣ୍ଟା ନପୂରୁଣୁ ଚିନ୍ମୟ ସାହୁ ଦଳର ପୁରୁଖା କର୍ମୀ- ଯୁବ ନେତାମାନଙ୍କୁ ନାଲିଆଖି ଦେଖାଇବାକୁ ପଛାଇନାହାନ୍ତି। ନବୀନ ନିବାସ ବାହାରେ ଗଣମାଧ୍ୟମକୁ ବୟାନ ଦେଇ ଚିନ୍ମୟ କହିଛନ୍ତି, ‘ଏଣିକି ରାଜା ପୁଅ ଆଉ ରାଜା ହେବନି। ଯାହାର ଦକ୍ଷତା ଥିବ ସେ ହିଁ ଦାୟିତ୍ୱ ନେବ। ଦୀର୍ଘବର୍ଷ ଧରି ଯେଉଁମାନେ ଯୁବ ଛାତ୍ର ସଂଗଠନ ଭିତରେ ସଂଘର୍ଷ କରି ଆସିଛନ୍ତି ସେମାନଙ୍କୁ ଆଗାମୀ ଦିନରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯିବ।’ ଚିନ୍ମୟଙ୍କ ଏହି ବୟାନ ସିଧାସଳଖ ଦଳରେ ଉତ୍ତରାଧିକାରୀ ସୂତ୍ରରେ ରାଜନୀତିରେ ସକ୍ରିୟ ଥିବା ନେତାମାନଙ୍କ ପୁଅମାନଙ୍କ ପାଇଁ ଚେତାବନୀ ସଦୃଶ ହୋଇଛି। ଦଳରେ ବର୍ଷବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଥିବା ଯୁବନେତାମାନଙ୍କୁ ଅଣଦେଖା କରି ଚିନ୍ମୟଙ୍କୁ ଏହି ପଦବୀରେ ଅବସ୍ଥାପିତ କାହିଁକି କରାଗଲା ଓ ସେ ବରିଷ୍ଠ ନେତାମାନଙ୍କୁ ଏଭଳି ନାଲିଆଖି ଦେଖାଇବାକୁ କିଭଳି ସାହାସ କରୁଛନ୍ତି ତାହା ଏବେ ଦଳୀୟ କନ୍ଦଳ ଓ ଅସନ୍ତୋଷକୁ ଉଗ୍ରରୂପ ଦେଇଥିବା ଜଣାପଡ଼ିଛି।
ଏପଟେ ଦଳର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ ରବିବାର ବିଳମ୍ବିତ ରାତ୍ରିରେ ଏକ ବୟାନ ଜାରି କରିଛନ୍ତି, ଯାହା ଦଳର ଯୁବ-ଛାତ୍ର ନେତାମାନଙ୍କ ପାଇଁ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ‘ଏଣିକି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ବିନାନୁମତିରେ ଶଙ୍ଖ ଭବନରେ କେହି ବୈଠକ କରିପାରିବେ ନାହିଁ’ ବୋଲି ଶ୍ରୀ ରାୟ ଦଳୀୟ କର୍ମୀ-ନେତାଙ୍କୁ ସୂଚନା ଦେଇଛନ୍ତି। ଦଳର ଯୁବ-ଛାତ୍ର ନେତାମାନଙ୍କ ମେଳିକୁ ଦମନ କରିବାକୁ ଏଭଳି ନିର୍ଦ୍ଦେଶ ଜାରି ହୋଇଥିବା ଜଣାପଡ଼ିଛି।
ଦଳର ଯୁବ ଓ ଉତ୍ତରାଧିକାରୀମାନଙ୍କୁ ଚେତାବନୀ
ବିଜେଡିର ନିର୍ବାଚନୀ ପରାଜୟ ପରଠୁ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତାମାନଙ୍କ ପୁଅ(ଉତ୍ତରାଧିକାରୀ ଯୁବନେତା)ମାନଙ୍କର ଆଉ ଦଳରେ କୌଣସି ଭୂମିକା ରହିବ ନାହିଁ ବୋଲି ଚିନ୍ମୟ ପରୋକ୍ଷରେ ଚେତାଇ ଦେଇଛନ୍ତି। ବିଶେଷକରି ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ବିପ୍ଲବ ପାତ୍ର, ବିଷ୍ଣୁବ୍ରତ ରାଉତରାୟ, ରୁଦ୍ର ମହାରଥୀ, ଦେବୀରଞ୍ଜନ ତ୍ରିପାଠୀ ଓ ଦେବାଶୀଷ ସାମନ୍ତରାୟଙ୍କୁ ସିଧାସଳଖ ଟାର୍ଗେଟ୍ କରି ‘ରାଜା ପୁଅ ଆଉ ରାଜା ହେବନି’ ବୋଲି ମନ୍ତବ୍ୟ ଦେଇଛନ୍ତି ଯାହାକି ଉତ୍ତରାଧିକାରୀ ସୂତ୍ରରେ ରାଜନୀତି କରୁଥିବା ନେତାମାନଙ୍କ ପାଇଁ ଏକ ଶକ୍ତ ଧକ୍କା ସଦୃଶ ହୋଇଛି। ଯଦିଓ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ସୂତ୍ରରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ସଫଳତା ପାଇଛନ୍ତି। ଏଣିକି ଆଉ ନବୀନ ନୁହଁନ୍ତି ବରଂ ‘ପାଣ୍ଡିଆନ ଦମ୍ପତି’ଙ୍କ ଯୁଗ ବିଜେଡିରେ ଆରମ୍ଭ ହେବ ବୋଲି ମଧ୍ୟ ଚିନ୍ମୟ ସନ୍ଦେଶ ଦେଇ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଆହୁରି ଉସକାଇବାକୁ ପ୍ରୟାସ କରିଥିବା ଜଣାପଡ଼ିଛି।
ପାଣ୍ଡିଆନ ଦମ୍ପତିଙ୍କ ଏଂଟ୍ରି ପାଇଁ ଚିନ୍ମୟ ଓ ଇପସିତାଙ୍କ ଓକିଲାତି
ନବନିଯୁକ୍ତ ଯୁବ ଓ ଛାତ୍ର ସଭାପତିଙ୍କୁ ଦଳ ଭିତରେ ବିରୋଧ ହେଉଥିବାବେଳେ ଉଭୟ ଖୋଲାଖୋଲି ଭାବେ ପାଣ୍ଡିଆନ ଦମ୍ପତିଙ୍କ ବିଜେଡିରେ ଏଂଟ୍ରିକୁ ସ୍ୱାଗତ କରି ସେମାନଙ୍କ ନିଯୁକ୍ତି ପଛର ପ୍ରକୃତ ରହସ୍ୟକୁ ଉଜାଗର କରିଛନ୍ତି। ଦଳୀୟ ନେତାମାନଙ୍କ ସହ ପରାମର୍ଶ ନକରି ଚିନ୍ମୟ ଓ ଇପସିତାଙ୍କୁ ନିଯୁକ୍ତି ଦିଆଯିବା ତଥା ସେମାନେ ଗଣମାଧ୍ୟମରେ ପାଣ୍ଡିଆନ ଦମ୍ପତିଙ୍କ ଗୁଣଗାନ କରିବା ପଛରେ ପାଣ୍ଡିଆନ ଦମ୍ପତିଙ୍କ ନିଜସ୍ୱ ରାଜନୀତିକ ମହତ୍ୱାକାଂକ୍ଷା ଜଳଜଳ ଦିଶିଲାଣି ବୋଲି ଚର୍ଚ୍ଚା ହେଉଛି। ଉଭୟ ଚିନ୍ମୟ ଓ ଇପସିତାଙ୍କର ବିଜେଡିରେ ସାଂଗଠନିକ ଅସ୍ତିତ୍ୱ ନଥିବା ସତ୍ତ୍ୱେ ସେମାନେ ସହଯୋଗ କରିବେ ବୋଲି କହିବା ସିଧାସଳଖ ପାଣ୍ଡିଆନ ଦମ୍ପତିଙ୍କ ସୁଚିନ୍ତିତ ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି। ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଚିନ୍ମୟ କହିଛନ୍ତି, ‘ଓଡ଼ିଶା ପାଇଁ ପାଣ୍ଡିଆନଙ୍କ ଅବଦାନ ଅତୁଳନୀୟ। ଯଦି ନବୀନ ପଟ୍ଟନାୟକ ତାଙ୍କୁ ଦାୟିତ୍ୱ ଦେବେ, ଆମେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବୁ।’ ଇପସିତା ମଧ୍ୟ ତାଙ୍କ ସ୍ୱରରେ ତାଳ ମିଶାଇ କହିଛନ୍ତି ଯେ, ‘ନବୀନ ପଟ୍ଟନାୟକ ଯାହାଙ୍କୁ ଦାୟିତ୍ୱ ଦେବେ, ସେ ସୁଜାତା ହୁଅନ୍ତୁ କି ଯେକେହି, ଆମେ ସାହାଯ୍ୟ କରିବୁ।’

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ