ଭୁବନେଶ୍ୱର, ୨୯/୧୧ : ଜଣେ ୧୪ ବର୍ଷୀୟା ନାବାଳିକାକୁ ଏସିଡ୍ ପକାଇ ହତ୍ୟା ଉଦ୍ୟମ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲା ଦୌରା ଜଜ୍ ବିଶ୍ବେଶ୍ୱର ବିଶ୍ୱପ୍ରକାଶ ରାୟ ଆଜୀବନ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ୨୦୧୪ ମସିହା ଜୁନ ୬ରେ ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା ନଳକୂପ ନିକଟରେ ଗାଧୋଉ ଥିବାବେଳେ ଅଭିଯୁକ୍ତ ସୌମ୍ୟରଞ୍ଜନ ଓରଫ ପୁଅ ସାର୍ ଲୁଚି କରି ଦେଖୁଥିବା ନାବାଳିକାଜଣକ ଜାଣି ପାରି ଏ ସମ୍ପର୍କରେ ନିଜ ମା’କୁ ଜଣାଇଥିଲା।
ନାବାଳିକାର ମା’ ଏ ସମ୍ପର୍କରେ ଅଭିଯୁକ୍ତକୁ ପଚାରିଥିଲେ। ଏହି କଥାକୁ ରାଗ ରଖି ଦୁଇ ଦିନ ପରେ ଅର୍ଥାତ ଜୁନ ୮ ତାରିଖ ରାତି ୧୧ଟା ବେଳେ ନାବାଳିକା, ତାଙ୍କ ମା’ ଓ ଭାଇ ପରିସ୍ରା କରିବା ପାଇଁ ପଦାକୁ ଉଠିଥିବା ବେଳେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ଓ ତାର ସାଥୀ ବିଟୁ ଓରଫ ପ୍ରଶାନ୍ତ ରାୟ ନାବାଳିକା ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏସିଡ୍ ମାଡ଼ରେ ନାବାଳିକାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ନାବାଳିକାକୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଏ ନେଇ ନାବାଳିକାର ମା’ ଜୁନ ୧୦ ତାରିଖରେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିତ୍ତି କରି ବିଞ୍ଝାରପୁର ପୁଲିସ କେଶ ନଂ. ୧୦୨/୧୪ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ବିଟୁ ଓରଫ ପ୍ରଶାନ୍ତ ରାୟ ଓ ସୌମ୍ୟ ରଞ୍ଜନ ଓରଫ ପୁଅ ସାର୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ। ଶୁକ୍ରବାର ଅତିରିକ୍ତ ଜିଲା ଦୌରା ଜଜ୍ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ ୧୧ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ବିଟୁ ଓରଫ ପ୍ରଶାନ୍ତ ରାୟ ଓ ସୌମ୍ୟରଞ୍ଜନ ଓରଫ ପୁଅ ସାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ଲକ୍ଷ ଟଙ୍କା ଜୋରିମାନା ସହ ଜୋରିମାନା ଅନାଦେୟ ୨ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାକୁ ଅତିରିକ୍ତ ସରକାରୀ ଓକିଲ କ୍ୟାଡର ବିପ୍ଲବ କୁମାର ମୁଦୁଲି ଓ ଅତିରିକ୍ତ ସରକାରୀ ଓକିଲ ଜୟଦୀପ ମିଶ୍ର ପରିଚାଳନା କରୁଥିଲେ। ଉପରୋକ୍ତ ସରକାରୀ ଓକିଲ କୋର୍ଟ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ମାଝୀ ଉପସ୍ଥିତ ଥିଲେ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |