ବାଲେଶ୍ବର: ସରକାରଙ୍କ ସହଯୋଗରେ ଆମେରିକାରୁ ଫେରି ବାଲେଶ୍ବର ଜିଲା ନାରୀ ସଂଘ ଗୃହରେ ରହିଥିବା ଓଡ଼ିଆ ଯୁବତୀ ପୂଜା ଓରଫ ସେଜଲ ଜନଙ୍କୁ ଦେଖା କରିବାକୁ ଆସି ହରଡ଼ଘଣାରେ ପଡ଼ିଛନ୍ତି ତାଙ୍କ ପୁରୁଷ ବନ୍ଧୁ ଅମର ଦାସ। ସେଜଲ ତାଙ୍କ ପାଇଁ ବାଲେଶ୍ବର ଆସିଥିବା ଜାଣିବା ପରେ ଗତକାଲି ସେ ଦେଖା କରିବାକୁ ନାରୀ ସଂଘ ଗୃହକୁ ଯାଇଥିଲେ।
ମାତ୍ର ଗତକାଲି ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ ଥିବା ଯୋଗୁଁ ନାରୀ ସଂଘ କର୍ମକର୍ତ୍ତା ବ୍ୟସ୍ତ ରହିବା କାରଣରୁ ତାଙ୍କୁ ଆଜି ଆସିବା ପାଇଁ କୁହାଯାଇଥିଲା। ସେହିକ୍ରମରେ ଆଜି ସେ ନାରୀ ସଂଘରେ ପହଞ୍ଚିବା ପରେ ସହଦେବଖୁଣ୍ଟା ଥାନା ପୁଲିସ ତାଙ୍କୁ ଥାନାକୁ ନେଇଯାଇଥିଲା। ଆମେରିକାରୁ ଓଡ଼ିଆ ଯୁବତୀ ସେଜଲଙ୍କୁ ଫେରାଇ ଆଣିବାରେ ଅମରଙ୍କ ଭୂମିକା ଓ କାର୍ଯ୍ୟଧାରାକୁ ନେଇ ପଚରାଉଚୁରା କରାଯିବ ବୋଲି ଥାନାଧିକାରୀ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି।
ତେବେ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ତ୍ବାବଧାନରେ ନାରୀ ସଂଘ ଗୃହରେ ୩ ଦିନ ରହିଥିବା ସେଜଲଙ୍କୁ କାଉନସେଲିଂବେଳେ ସେ ଦେଇଥିବା କିଛି ସୂଚନାରୁ ଅମରଙ୍କ କାର୍ଯ୍ୟଧାରାକୁ ସନ୍ଦେହ କରି ପୁଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। କାଉନସେଲିଂରୁ ଜଣାପଡ଼ିଛି ଯେ, ଅମର କଥାରେ ପଡ଼ି ସେଜଲ ମିଥ୍ୟା ଭିଡିଓ ପ୍ରଘଟ କରିଥିଲେ, ଯେଉଁଥିରେ ତାଙ୍କୁ ପାଳକ ମାଆ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଭିଡିଓକୁ ଅମର ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଘଟ କରିଥିଲେ। ଯାହାକୁ ଆଧାର କରି ସରକାରଙ୍କ ପକ୍ଷରୁ ସେଜଲଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଥିଲା। ସେହିଭଳି ସେଜଲଙ୍କ ମାଆଙ୍କୁ ବ୍ଲାକମେଲିଂ କରି କୋଟିଏ ଟଙ୍କା ଆଦାୟ ପାଇଁ ଅମର ନିଜ ମାଉସୀର ଆକାଉଣ୍ଟ ନମ୍ବର ଦେଇଥିଲେ ବୋଲି ଜିଲା ନାରୀ ସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର ସୂଚନା ଦେଇଛନ୍ତି। ଏହିସବୁ ଅଭିଯୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ସୂଚନା ଜାଣିବାକୁ କାଉନସେଲିଂ ପାଇଁ ପୁଲିସ ତାଙ୍କୁ ଉଠାଇଥିବା ଥାନାଧିକାରୀ କହିଛନ୍ତି।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |