December 13, 2025

Now Odisha

Now Odisha

ସରକାରୀ ସହାୟତା ସତ୍ୱେ ବି ଅଲୋଡ଼ା ଅନିଲ |

Spread the love

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ମାଦିଗୁଡ଼ା ନିକଟସ୍ଥ ଚିକିଲି ଗାଁର ଜଣେ ଯୁବକ ଅନୀଲ କପୁର ସିକାଙ୍କ ଇଛାମୃତ୍ୟୁ ଆବେଦନ ଗତ କିଛିଦିନ ହେଲା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି l ଦୀର୍ଘ ବର୍ଷ ଧରି ଶଯ୍ୟାଶାୟୀ ଥିବା ଅନୀଲଙ୍କ ସଂପର୍କରେ ଗଣମାଧ୍ୟମ ପ୍ରସାରଣ କରିବା ପରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା l ଏପରିକି ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ଅନୀଲଙ୍କ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ଘୋଷଣା କରିଦେଲେ l ଏଥିପାଇଁ ବିଶାଖାପାଟଣାର ମେଡିକୋର ମଲ୍ଟି ସ୍ପେଶାଲିଟି ହସ୍ପିଟାଲକୁ ୨୭ ତାରିଖରୁ ରେଫର ବି କରିଦିଆଯାଇଛି l ୨୦ ହଜାର ଟଙ୍କାର ସହାୟତା ବି ଦିଆଯାଇଛି l ତେବେ ମୁଖ୍ୟ ସମସ୍ୟା ହେଲା ସୁଦୂର ବିଶାଖାପାଟଣାକୁ ଅନୀଲ ଯିବେ କେମିତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ l ନିଜେ ଅଚଳ ଥିବାବେଳେ ବୃଦ୍ଧ ବାପ-ମାଆ ତାଙ୍କୁ ଟେକିଟାକି ନେବାରେ ସମସ୍ୟା ହେଉଛି l ପୁଣି ଚିକିତ୍ସା କରାଇ ଜମିବାଡ଼ି ବୁଡ଼ିଯିବା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ନିଃସ୍ବ ହୋଇ ପଡ଼ିଚନ୍ତି !

ଏପରିସ୍ଥଳେ ବିଶାଖାପାଟଣା ପର୍ଯ୍ୟନ୍ତ ଏକ ଆମ୍ବୁଲାନ୍ସ ସହାୟତା( ୨୦ ହଜାର ଟଙ୍କାରେ ଆମ୍ବୁଲାନ୍ସ କରିହେବ କିନ୍ତୁ ତାଙ୍କର ଲମ୍ବା ଚିକିତ୍ସା ଚାଲିଲେ ବୁଢ଼ା ବାପ ମାଆଙ୍କୁ ଏତେଦିନ ଯାଏଁ ସେଇଠି ଖାଇବାକୁ ଦେବ କିଏ?) I ସେହିପରି ଅନୀଲଙ୍କ ବାପ-ମାଆ ନିରକ୍ଷର ଥିବାରୁ ସେଠାରେ ଏଡମିଟ୍ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ମେଡିକାଲ କାମରେ ବ୍ୟାପକ ହଇରାଣ ହେବାକୁ ପଡ଼ିବ l ପରିବାରର ଦୁଃସ୍ଥିତି ଯୋଗୁଁ ବଡ଼ଭାଇ ରାଜ କପୁର ସିକା ଦାଦନ ଖଟିବାକୁ ଯାଇଛନ୍ତି l ବର୍ତ୍ତମାନ ପରିସ୍ଥିତିରେ ଘୋଷଣା ଅପେକ୍ଷା କାର୍ଯ୍ୟାନ୍ବୟନ ଅନେକ ମହତ୍ତ୍ବ ରଖେ l ଏଣୁ ଶାସନ, ପ୍ରଶାସନ, ଜନ ପ୍ରତିନିଧି, ରାଜନେତା, ସମାଜ ସେବୀ, ସ୍ବେଚ୍ଛାସେବୀ ସଂଗଠନ ଓ ସମ୍ବେଦନଶୀଳ ଗଣମାଧ୍ୟମକୁ ନିବେଦନ କରୁଚୁ କି ଅନୀଲଙ୍କ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ସହାୟତା, ବିଶାଖାପାଟଣାରେ ଏଡମିଟ୍ କରାଇଦେବା ପାଇଁ କୌଣସି ପ୍ରଶାସନିକ କିମ୍ବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଦାୟିତ୍ବ, ଅନୀଲଙ୍କ ଚିକିତ୍ସା ପ୍ରକ୍ରିୟାରେ କୌଣସି ସମାଜସେବୀ/ ସ୍ବେଚ୍ଛାସେବୀଙ୍କ ସହଯୋଗ ଓ ବିଶାଖାପାଟଣାରେ ଉପସ୍ଥିତିର ଅତ୍ୟନ୍ତ ଆବଶ୍ୟକତା ରହିଛି lଏ ଦିଗରେ ପଦକ୍ଷେପ ନେଲେ ଅନୀଲଙ୍କ ଜୀବନରକ୍ଷାରେ ଏହା ସହାୟକ ହୋଇପାରିବ l

error: Content is protected !!