February 4, 2026

Now Odisha

Now Odisha

ବିଜେଡିର ଗତି କୁଆଡ଼େ |

Spread the love

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ଗତି ଏବେ କୁଆଡ଼େ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ବିଜେଡିର ଭବିଷ୍ୟତ ନେଇ ବି ଚିନ୍ତାରେ କେବଳ ବିଜେଡି ସହ ଜଡ଼ିତ ନେତା ଓ କର୍ମୀମାନେ ନୁହଁନ୍ତି ସାଧାରଣ ଲୋକେ ବି ଏ ବିଷୟରେ ଆଲୋଚନା କରୁଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳକୁ ମଜ୍‌ଭୁତ୍ କରିବା ଓ ଭବିଷ୍ୟତ ପାଇଁ ଆଶା ସଞ୍ଚାର କରିବା ଦିଗରେ ପଦକ୍ଷେପ ନେବା ବଦଳରେ ଯେଉଁ ଢ଼ଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା ସବୁଠାରୁ ଚିନ୍ତାଜନକ ବିଷୟ ହୋଇଛି।

ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଦଳର ଭବିଷ୍ୟତ ଓ ନିଜର ଭବିଷ୍ୟତକୁ ନେଇ ଯେଉଁ ନେତାମାନେ ଆଗକୁ କିଛି ଆଶା ଓ ଭରଷା ରଖିପାରୁ ନାହାଁନ୍ତି ସେମାନେ ଅଲଗା ପନ୍ଥା ବାଛିବାକୁ ବାଧ୍ୟ ହେଉଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ନିକଟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାକୁ ଦେଖି ଏହିଭଳି ମନୋଭାବ ସୃଷ୍ଟି ହେଉଥିବା କୁହାଯାଉଛି।

ସାଧାରଣ ନିର୍ବାଚନ ସମୟରେ ଦଳକୁ ଯେଉଁଭଳି ଭାବରେ ପରିଚାଳିତ କରାଗଲା ସେଥିପାଇଁ ବହୁମୂଲ୍ୟ ଦେବାକୁ ହୋଇଛି। ଏହାପରେ ଯଦି ତୃଟିକୁ ସୁଧାରି ଆଗକୁ ଆଗେଇବା ଦିଗରେ ପଦକ୍ଷେପ ନିଜେ ସଭାପତି ନ ନିଅନ୍ତି ତେବେ ଏକଦା କଂଗ୍ରେସକୁ ଯେପରି ସାଇନ୍‌ବୋର୍ଡ ପାର୍ଟି ବୋଲି ବିଜେଡି ନେତାମାନେ କହୁଥିଲେ ସେହି ସ୍ଥିତିକୁ ଚାଲିଆସିପାରେ। ସାଧାରଣ ନିର୍ବାଚନ ପରେ ନୂଆପଡ଼ା ଉପନିର୍ବାଚନରେ ହାରିବାଟା ଯେତେ ବଡ଼ ନୁହେଁ ତୃତୀୟ ସ୍ଥାନକୁ ଖସିବା ଅଧିକ ଲଜ୍ୟାଜନକ ବିଷୟ। ସଭାପତି ଭାବେ ନବୀନ ପଟ୍ଟନାୟକ ଯେଉଁ କଠୋର ପଦକ୍ଷେପ ନେବା କଥା ତାହା ଯଦି ସେ ନେଇ ନପାରୁଛନ୍ତି ତେବେ ତାଙ୍କର ଉତ୍ତରାଧିକାରୀ ଶୀଘ୍ର ବାଛିବା ବୋଲି ଅନେକ ମତ ଦେଉଛନ୍ତି। ନେଡ଼ିଗୋଡ଼ କହୁଣୀକୁ ବୋହିଗଲା ପରେ କିଛି ପଦକ୍ଷେପ ନେଲେ ତାହାର କୌଣସି ସୁଫଳ ମିଳିବ ନାହିଁ। ଦଳରୁ ଏବେ ଲଗାତାର ଭାବେ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି। ଏହିପରି କି ବଡ଼ ବଡ଼ ନେତାଙ୍କ ପିଲାମାନେ ବି ଛାଡ଼ୁଛନ୍ତି। କାରଣ ସେମାନେ ଦଳର କାର୍ଯ୍ୟଧାରା ନେଇ ନିଜର ଭବିଷ୍ୟତକୁ ଦେଖୁଛନ୍ତି। ଦଳରେ ଆଉ ବରିଷ୍ଠ ଓ ଅଭିଜ୍ଞଙ୍କର ଆବଶ୍ୟକ ନାହିଁ ବୋଲି ଏକ ବାର୍ତ୍ତା ସଭାପତି ଦେଉଥିବା ଆଲୋଚନା ହେଉଛି। ଏବେ ଚାଲିଥିବା ବିଧାନସଭା ଅଧିବେଶନରେ କେତୋଟି ଘଟଣାକୁ ପରିଲକ୍ଷିତ କଲେ ଏହା ପ୍ରତୀୟମାନ ହେଉଛି। ବିଧାନସଭାରେ ଗୃହବିଭାଗ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଏଥିରେ ବିଜେଡି ପକ୍ଷରୁ ବିଧାୟକ ବ୍ୟୋମକେଶ ରାୟ ଆଲୋଚନା ଆରମ୍ଭ କରିଥିଲେ। ପରେ ଦିବ୍ୟଶଙ୍କର ମିଶ୍ର ଓ ତୁଷାରକାନ୍ତି ବେହେରା ଭାଗ ନେଇଥିଲେ। ଗୃହବିଭାଗ ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହୁଥିବାରୁ ଏହାର ଆଲୋଚନା ହେଲେ ବିରୋଧୀ ଦଳର ନେତା, ଉପନେତା କି ବରିଷ୍ଠ ସଦସ୍ୟଙ୍କୁ କହିବା ପାଇଁ ପ୍ରଥମେ ବିରୋଧୀ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଥାଏ। ବିରୋଧୀ ଦଳ ନେତା ଭାବେ ନବୀନ ଗୃହକୁ ଆସୁ ନାହାଁନ୍ତି। ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଗଣେଶ୍ୱର ବେହେରାଙ୍କ ଭଳି ସଦସ୍ୟ ଥିଲାବେଳେ ଏମାନଙ୍କୁ ଦଳ ସୁଯୋଗ ଦେଲା ନାହିଁ। ଶାସକ ଦଳକୁ ପାଲଟା କାଉଣ୍ଟର କରିବା ପାଇଁ ସହଜ ହେଲା। ବ୍ୟୋମକେଶ ଓ ଦବ୍ୟଶଙ୍କର ବେଶ୍ ବିବାଦୀୟ। ଏମାନଙ୍କ କାର୍ଯ୍ୟଧାରା ବିଷୟରେ କାହାରିକୁ ଅଛପା ନାହିଁ। ନିଜ ସରକାର ଥିଲାବେଳେ ଏମାନେ କେତେ ବିବଦାୟ ହୋଇପଡ଼ିଥିଲେ ତାହା ସମସ୍ତଙ୍କୁ ଜଣା। ଆଉ ଯଦି ଏମାନେ ଅପରାଧ ବିଷୟରେ ସରକାରଙ୍କୁ ଆଙ୍ଗୁଠି ଦେଖାଇବେ ପରିଣତି ଯାହା ହେବା କଥା ତାହା ହିଁ ହେଲା।

ଏପରି ପଦକ୍ଷେପ ନେଇ ଦଳ ମୁଖିଆ କି ବାର୍ତ୍ତା ଦେଲେ ତାହା ସମସ୍ତଙ୍କ ମନରେ ଏବେ ପ୍ରଶ୍ନ। ଦଳରେ ବରିଷ୍ଠଙ୍କର ସ୍ଥାନ ନାହିଁ, ଏଣିକି କନିଷ୍ଠଙ୍କ ରାଜ୍ ଚାଲିବ ଏଭଳି ଏକ ସୂଚନା ଏଥିରୁ ମିଳୁଛି। ଯେଉଁ ବରିଷ୍ଠମାନଙ୍କୁ ରଖାଯାଇଛି ତାହା କେବଳ ବାଧ୍ୟବାଧ୍ୟକତାରେ ଔପଚାରିକତା ଦୃଷ୍ଟିରୁ କରାଯାଇଥିବା ପ୍ରତୀୟମାନ ହେଉଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜେ ଦଳ ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଏନ୍‌ଏମ୍ ପରିକ୍ଷା ବାତିଲ୍ ହେବା ନେଇ ଉଦ୍‌ବେଗ ପ୍ରକାଶ କରି ଟ୍ୱିଟ୍ କଲେ ଓ ସରକାରଙ୍କୁ ସମାଲୋଚନା କଲେ। ସେଦିନ ରାଜ୍ୟ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲାବେଳେ ବିଜେଡିର କୌଣସି ନେତା ଗୃହ ଭିତରେ ଶୂନ୍ୟକାଳରେ ଏହା ଉପରେ ସ୍ୱର ଉଠାଇଲେ ନାହିଁ। ବିରୋଧୀ ଦଳ ଭାବରେ ବିଜେଡି ଏହି ପ୍ରସଙ୍ଗକୁ ଯେଭଳି ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇ ଥାଆନ୍ତା ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ହୃଦୟ ଜିଣିପାରିଥାଆନ୍ତା ସେପରି କରାଗଲା ନାହିଁ। ଗୃହ ଭାହାରେ ବିଜେଡିର କିଛି ବିଧାୟକ ଏହି ପ୍ରସଙ୍ଗରେ ମତ ରଖିଥିଲେ। କିନ୍ତୁ ଗୃହ ଭିତରେ କହିଲେ ଯେଉଁ ଗୁରୁତ୍ୱ ବହନ କରିଥାଆନ୍ତା ତାହା ହେଲା ନାହିଁ। ନିଜେ ସଭାପତି ଟ୍ୱିଟ୍ କରି ଉଦ୍‌ବେଗ ପ୍ରକାଶ କରୁଥିଲା ବେଳେ ଏବଂ ଗୃହ ବାହାରେ ଦଳୀୟ ବିଧାୟକ ଗଣମାଧ୍ୟମରେ ସମାଲୋଚନା କରୁଥିଲାବେଳେ ଗୃହ ଭିତରେ କହିବାର ବାଧା କେଉଁଠି ଥିଲା। ଏଥିରୁ ଜଣାପଡ଼ୁଛି ବିଧାୟକମାନଙ୍କୁ ବି ସ୍ୱଇଚ୍ଛାରେ କିଛି କହିବାର ସୁଯୋଗ ମିଳିପାରୁନାହିଁ। ସବୁ କଥାରେ ଦଳର ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡ଼ୁଛି। ସରକାରଙ୍କୁ ଘେରିବା ପାଇଁ ବିଜେଡି ବାରମ୍ବାର ସୁଯୋଗ ହାତଛଡ଼ା କରୁଥିବାରୁ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବି ସନ୍ଦେହ ପ୍ରକାଶ ପାଇବା ଆରମ୍ଭ ହୋଇଛି। ତେଣୁ ଦଳ ଛାଡ଼ିବାକୁ ନେତାମାନେ ପଛଘୁଞ୍ଚା ଦେଉନାହାଁନ୍ତି।

ଇତିମଧ୍ୟରେ ବିଜେଡିର ଅନେକ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଦଳୀୟ ସମର୍ଥିତ ସରପଞ୍ଚମାନେ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଛନ୍ତି। ଆଗକୁ ଅନେକ ସାମିଲ୍ ହେବାର ଆଶା ମଧ୍ୟ ଦେଖାଯାଉଛି। ବିଜେଡି କ୍ଷମତାରେ ଥିଲାବେଳେ ଯେଉଁ ବାଟ ଦେଖାଇଥିଲା ବିଜେପି ଏବେ ସେହି ବାଟଦେଇ ଗତି କରୁଛି। ବିଜେଡି ସରକାର ବେଳେ ପୁଲିସ, ଭିଜିଲାନ୍ସ ଓ କ୍ରାଇମ୍‌ବ୍ରାଞ୍ଚକୁ ଭୟ କରି ଅନେକ କଂଗ୍ରେସ ନେତା ଦଳ ଛାଡ଼ିଥିଲେ। ବିଜେପି ସରକାରେ ଏହି ସଂସ୍ଥା ସହ ଏବେ ଇଡି ଓ ସିବିଆଇ ଯୋଡ଼ି ହୋଇଯାଇଛି। ରାଜନୀତି କରୁଥିବା ଅଧିକାଂଶ ଆଗଧାଡ଼ିର ନେତା କିଛି ନା କିଛି ଦୁର୍ନୀତିରେ ସଂପୃକ୍ତି ରହିଥିବ,ଏହାକୁ ଅସ୍ୱୀକାର କରି ହେବ ନାହିଁ। ଏଣୁ ନିରାପଦ ସ୍ଥାନ ବାଛିବା ଉଚିତ୍ ମନେ କରୁଛନ୍ତି। ଗୋଟିଏ ପଟରେ ଦଳର ଭବିଷ୍ୟତକୁ ଆକଳନ କଲାପରେ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଏଭଳି ପଦକ୍ଷେପ ନେଉଥିବା ଅନେକ ମତ ଦେଉଛନ୍ତି।

ସଭାପତି ଭାବେ ନବୀନଙ୍କ ଉପରେ ଦଳର ଭବିଷ୍ୟତ ନିର୍ଭର କରୁଥିବାରୁ ବେଳ ହୁଁ ଯଦି କିଛି ଠୋସ୍ ପଦକ୍ଷେପ ତୁରନ୍ତ ଗ୍ରହଣ ନକରନ୍ତି ତେବେ କଂଗ୍ରେସ ଭଳି ସ୍ଥିତି ଭୋଗିବାକୁ ବେସି ସମୟ ଲାଗି ନପାରେ ବୋଲି କୁହାଯାଉଛି।

error: Content is protected !!