March 16, 2026

Now Odisha

Now Odisha

ଫରେଷ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ଜେଲ୍‌ଗଲେ ମାଷ୍ଟରମାଇଣ୍ଡ୍‌, ଡ୍ରାଇଭର

Spread the love

କଟକ ବନଖଣ୍ଡ ଟମକା ରେଞ୍ଜ୍ ଓ ସେକ୍ସନର ଫରେଷ୍ଟର ମାଣିକ ମୁଣ୍ଡାଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ତ୍ବରିତ ପଦକ୍ଷେପ ନେଇଛି। କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ବରେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଦିବାକର ମହାନ୍ତି ସଦଳବଳ ଗତକାଲି ଏକାଧିକ ସ୍ଥାନରେ ଚଢ଼ଉକରି ଏହି ଘଟଣାର ମାଷ୍ଟରମାଇଣ୍ଡ୍ ଟମକା ଥାନା ଚିତ୍ରୀ ଗାଁର ରଙ୍ଗ ବଲ୍ଲଭ ଜେନା ଓରଫ୍ ବାଦଲ(୪୨) ଓ ସେଦିନ ଗାଡ଼ି ଚଳାଉଥିବା ଡ୍ରାଇଭର ଚିନ୍ମୟ କୁମାର ନାୟକ(୨୬)କୁ ଚିତ୍ରୀରୁ ଗିରଫ କରିଥିଲେ।

ଚିନ୍ମୟ ଚଳାଉଥିବା ଉକ୍ତ ପୁରୁଣା ମାରୁତି କାର୍(ଓଆର୍-୦୭ଏମ୍-୨୭୯୭) ଓ ବାଦଲ ଠାରୁ ମହିନ୍ଦ୍ରା ଏକ୍ସୟୁଭି-୩୦୦(ଓଡି-୦୪ଟି-୦୧୯୦) କାର୍ ଜବତ କରାଯାଇଛି। ଆଜି ସଂଧ୍ୟା ୨ ଅଭିଯୁକ୍ତଙ୍କୁ କେସ୍ ନମ୍ବର ୪୪୯/୨୫ ଏବଂ ଦଫା ୨୮୧, ୧୩୨, ୧୦୯/୬୧(୨)/୩(୫) କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଛି। ହେଲେ ୨ ଦିନ ଧରି ପୁଲିସ ଚଢ଼ଉ ଜାରି ରହିଥିଲେ ହେଁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଚଣ୍ଡିଖୋଲ ଇଲାକାର ଅନ୍ୟଜଣେ ପଥର ମାଫିଆ ଖସି ପଳାଇଥିବା ସୂଚନା ମିଳିଛି। ଏହାବାଦ୍ ତଦନ୍ତରେ ସହାୟତା ପାଇଁ ଅଭିଯୋଗକାରୀ ଫରେଷ୍ଟର ଶ୍ରୀ ମୁଣ୍ଡା ସେଦିନ ଚଳାଉଥିବା ବାଇକ୍(ଓଡି-୦୪ଏସ୍-୯୪୬୧)କୁ ପୁଲିସ ଜିମା ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଅଭିଯୁକ୍ତ ବାଦଲ ଉକ୍ତ ୨ କାର୍ ସହାୟତାରେ ଫରେଷ୍ଟର ଶ୍ରୀ ମୁଣ୍ଡାଙ୍କ ପିଛା କରିଆସୁଥିଲା। ମାଫିଆଙ୍କ ବିରୁଦ୍ଧରେ ପୁଲିସର ଏତାଦୃଶ ପଦକ୍ଷେପ ପାଇଁ ବନ ବିଭାଗ ପକ୍ଷରୁ ଆଶ୍ବସ୍ତି ପ୍ରକାଶ ପାଇଛି।ଦୁଇ ଦିନ ପୂର୍ବରୁ ଥାନାରେ ମାମଲା

ସୂଚନାଯୋଗ୍ୟ, ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଫରେଷ୍ଟର ମାଣିକ ମୁଣ୍ଡାଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଥିଲା। ଗତ ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ରାତି ପ୍ରାୟ ୧୧ଟାରେ ଶ୍ରୀ ମୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ଶ୍ରୀ ମୁଣ୍ଡା ନିଜ ବାଇକ୍ରେ ପାଟ୍ରୋଲିଂ ପାଇଁ ଯାଜପୁରଜିଲ୍ଲା ଡୁବୁରୀ-ନରଣପୁର ଭିଆଇପି ରୋଡ୍ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍ସ ପାଖରେ ଏକ ପୁରୁଣା ମାରୁତି କାର୍ (ଓଆର୍-୦୭ଏମ୍-୨୭୯୭) ତାଙ୍କ ଆଗକୁ ମାଡ଼ିଆସି ବାଟ ଓଗାଳିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ବେ ଶ୍ରୀ ମୁଣ୍ଡା ବାଇକ୍ରେ ଚାଲିଥିଲେ। କମଳାବାହାଳୀ ପାଖରେ ଉକ୍ତ କାର୍ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍ ମାରିବାକୁ ଉଦ୍ୟମ କରିଥିଲା।

error: Content is protected !!