ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା ଡାକ୍ତରଙ୍କ ମୁହଁରୁ ହିଜାବ ଟାଣି ଦେବା ଘଟଣାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଏହି ଘଟଣା ପରେ ବିରୋଧୀ ଦଳଗୁଡ଼ିକ ତାଙ୍କର ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ସୋମବାର ପାଟନାରେ ଅନୁଷ୍ଠିତ ଏକ ଆୟୁଷ ଡାକ୍ତରଙ୍କୁ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ସମୟରେ, ୭୪ ବର୍ଷୀୟ ଜେଡି(ୟୁ) ମୁଖ୍ୟ ନୀତୀଶ କୁମାର ଜଣେ ଡାକ୍ତରଙ୍କୁ ହିଜାବ ହଟାଇବା ପାଇଁ ଇଙ୍ଗିତ କରିଥିଲେ। ମହିଳା ଡାକ୍ତର ଜଣଙ୍କ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ହିଁ କୁମାର ଆଗକୁ ବଢ଼ି ତାଙ୍କ ମୁହଁରୁ ହିଜାବ ଟାଣି ଦେଇଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।ନୀତିଶଙ୍କ ଏହି କାର୍ଯ୍ୟକୁ ‘ନିନ୍ଦନୀୟ’ ଓ ‘ଲଜ୍ଜାଜନକ’ କହି ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛି। କଂଗ୍ରେସ କହିଛି ଯେ ବିହାରର ସର୍ବୋଚ୍ଚ ପଦରେ ଥିବା ଜଣେ ବ୍ୟକ୍ତି ଏପରି ନିନ୍ଦନୀୟ କାର୍ଯ୍ୟ କରୁଥିବାବେଳେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ରହିବେ?
ଆରଜେଡି ସୋସିଆଲ ମିଡ଼ିଆରେ ଲେଖିଛି ଯେ ‘ନୀତୀଶ ଜୀଙ୍କୁ କ’ଣ ହୋଇଛି? ତାଙ୍କର ମାନସିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି।’ ଆର୍ଜେଡି ମୁଖପାତ୍ର ଇଜାଜ ଅହମ୍ମଦ କହିଛନ୍ତି ଯେ ଏହା ଜେଡିୟୁ-ବିଜେପି ମେଣ୍ଟର ମହିଳାଙ୍କ ପ୍ରତି ଥିବା ମନୋଭାବକୁ ସ୍ପଷ୍ଟ କରୁଛି ଏବଂ ଏହା ସାମ୍ବିଧାନିକ ଧାର୍ମିକ ସ୍ୱାଧୀନତା ବିରୋଧୀ କାର୍ଯ୍ୟ।
ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ମଧ୍ୟ ଜନ ସୁରାଜର ପ୍ରଶାନ୍ତ କିଶୋର ଏବଂ ଅନ୍ୟ କେତେକ ନେତା ନୀତୀଶ କୁମାରଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଶାସନ କରିବାର ଉପଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥିଲେ।

More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |