ଦଳରୁ ମୋକିମଙ୍କୁ ବିଦା କରିବା ପରେ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ତାଙ୍କ କଥାରୁ ଯାହା ଜଣାପଡ଼ିଛି, ସେ ଦଳର ଏଭଳି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି । ସେ କହିଛନ୍ତି, ‘ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ । ୧୯୮୦ ପରଠୁ କଟକରେ କଂଗ୍ରେସ ଜିତି ପାରୁ ନଥିଲା, ମୋକିମ ଜିତାଇଛନ୍ତି ।
ଲଗାତାର ୨ ଥର କଟକରେ କଂଗ୍ରେସ ଜିତିଲାଣି, ଏବେ ତାଙ୍କ ଝିଅ ବିଧାୟିକା’ ।
ନିରଞ୍ଜନ ଆହୁରି କହିଛନ୍ତି, ‘ନୂଆପଡ଼ା ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟ ତାଙ୍କୁ ବାଧିଲା । ସେଥିପାଇଁ ଆମେ ସମସ୍ତେ ଦାୟୀ, ତାକୁ ଉପଶମ କରିବାର ଥିଲା । ନୂଆପଡ଼ାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନଥିଲା । ସେ ଯେଉଁ ଚିଠି ଲେଖିଲେ ସେଥିରେ କିଛି ସତ୍ୟତା ଥାଇପାରେ । ମାତ୍ର ସେ ଯେପରି ଭାବେ ଗଣମାଧ୍ୟମକୁ ଯାଇ କହିଲେ ତାହା ଠିକ୍ ନୁହେଁ । ମୋକିମ ବାବୁଙ୍କ ପରି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ରହିଛି । କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ଅଛି, ବୁଝାଇ ଅଣାଯିବା ଦରକାର ।’
ଅନ୍ୟପଟେ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ AICC ବହିଷ୍କାର କରିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘କଂଗ୍ରେସ ମୋତେ ବହିଷ୍କାର କରିଛି କିନ୍ତୁ, ମୁଁ କଂଗ୍ରେସଠୁ ଦୂରେଇ ଯାଇନି । କଂଗ୍ରେସ ମୋ ବିଚାରଧାରେ ଅଛି ଓ ରହିବ । ଦଳରୁ ବହିଷ୍କାର ହୋଇଗଲି ମାନେ ରାଜନୀତିରୁ ବାହାରିଗଲି ନୁହେଁ । ମୁଁ ୨୪ ଘଣ୍ଟା ସାମାଜିକ କର୍ମୀ ଥିଲି ଓ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ରହୁଥିଲି । ରାଜନୀତି ମୋ ପାଇଁ ଏକ ପ୍ଲାଟଫର୍ମ’ ।
ସେହିପରି ମହମ୍ମଦ ମୋକିମ୍ ଆହୁରି କହିଛନ୍ତି, ‘ବହିଷ୍କାର ଆଦେଶକୁ ମୁଁ ଗ୍ରହଣ କରୁଛି, ମୋ ଚିଠିର ପ୍ରଭାବ ପଡ଼ିଛି । ଜାତୀୟସ୍ତରରେ ନିଶ୍ଚୟ ମୋ ଚିଠି ଉପରେ ଆଲୋଚନା ହୋଇଛି । କେହି ନା କେହି ସେହି ହ୍ୟାଣ୍ଡଲକୁ ନିଶ୍ଚୟ ଧରି ଦଳକୁ ଆଗକୁ ନେବ । ନିଜର ସମର୍ଥକ ଓ ପ୍ରଶଂସକଙ୍କ ସହ ଆଲୋଚନା କରିବି । ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ମୋକିମ୍ କହିଛନ୍ତି ।
ସୂଚନା ଅନୁସାରେ, ନିକଟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିଲେ ପୂର୍ବତନ ବିଧାୟକ ମୋକିମ୍ ।
ସେ ଲେଖିଥିଲେ, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି । ଭକ୍ତ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି । କେବଳ ଏତିକି ନୁହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |