ଦଳରୁ ମୋକିମଙ୍କୁ ବିଦା କରିବା ପରେ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ତାଙ୍କ କଥାରୁ ଯାହା ଜଣାପଡ଼ିଛି, ସେ ଦଳର ଏଭଳି ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି । ସେ କହିଛନ୍ତି, ‘ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ । ୧୯୮୦ ପରଠୁ କଟକରେ କଂଗ୍ରେସ ଜିତି ପାରୁ ନଥିଲା, ମୋକିମ ଜିତାଇଛନ୍ତି ।
ଲଗାତାର ୨ ଥର କଟକରେ କଂଗ୍ରେସ ଜିତିଲାଣି, ଏବେ ତାଙ୍କ ଝିଅ ବିଧାୟିକା’ ।
ନିରଞ୍ଜନ ଆହୁରି କହିଛନ୍ତି, ‘ନୂଆପଡ଼ା ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟ ତାଙ୍କୁ ବାଧିଲା । ସେଥିପାଇଁ ଆମେ ସମସ୍ତେ ଦାୟୀ, ତାକୁ ଉପଶମ କରିବାର ଥିଲା । ନୂଆପଡ଼ାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନଥିଲା । ସେ ଯେଉଁ ଚିଠି ଲେଖିଲେ ସେଥିରେ କିଛି ସତ୍ୟତା ଥାଇପାରେ । ମାତ୍ର ସେ ଯେପରି ଭାବେ ଗଣମାଧ୍ୟମକୁ ଯାଇ କହିଲେ ତାହା ଠିକ୍ ନୁହେଁ । ମୋକିମ ବାବୁଙ୍କ ପରି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ରହିଛି । କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ଅଛି, ବୁଝାଇ ଅଣାଯିବା ଦରକାର ।’
ଅନ୍ୟପଟେ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ AICC ବହିଷ୍କାର କରିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘କଂଗ୍ରେସ ମୋତେ ବହିଷ୍କାର କରିଛି କିନ୍ତୁ, ମୁଁ କଂଗ୍ରେସଠୁ ଦୂରେଇ ଯାଇନି । କଂଗ୍ରେସ ମୋ ବିଚାରଧାରେ ଅଛି ଓ ରହିବ । ଦଳରୁ ବହିଷ୍କାର ହୋଇଗଲି ମାନେ ରାଜନୀତିରୁ ବାହାରିଗଲି ନୁହେଁ । ମୁଁ ୨୪ ଘଣ୍ଟା ସାମାଜିକ କର୍ମୀ ଥିଲି ଓ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ରହୁଥିଲି । ରାଜନୀତି ମୋ ପାଇଁ ଏକ ପ୍ଲାଟଫର୍ମ’ ।
ସେହିପରି ମହମ୍ମଦ ମୋକିମ୍ ଆହୁରି କହିଛନ୍ତି, ‘ବହିଷ୍କାର ଆଦେଶକୁ ମୁଁ ଗ୍ରହଣ କରୁଛି, ମୋ ଚିଠିର ପ୍ରଭାବ ପଡ଼ିଛି । ଜାତୀୟସ୍ତରରେ ନିଶ୍ଚୟ ମୋ ଚିଠି ଉପରେ ଆଲୋଚନା ହୋଇଛି । କେହି ନା କେହି ସେହି ହ୍ୟାଣ୍ଡଲକୁ ନିଶ୍ଚୟ ଧରି ଦଳକୁ ଆଗକୁ ନେବ । ନିଜର ସମର୍ଥକ ଓ ପ୍ରଶଂସକଙ୍କ ସହ ଆଲୋଚନା କରିବି । ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ମୋକିମ୍ କହିଛନ୍ତି ।
ସୂଚନା ଅନୁସାରେ, ନିକଟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିଲେ ପୂର୍ବତନ ବିଧାୟକ ମୋକିମ୍ ।
ସେ ଲେଖିଥିଲେ, ଲଗାତର ତିନି ତିନି ଥର ନିର୍ବାଚନରେ ପରାଜିତ ଭକ୍ତଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ଦ୍ବାରା ସାଧାରଣ କର୍ମୀ ହତୋତ୍ସାହିତ ହୋଇଛନ୍ତି । ଭକ୍ତ ଓ ତାଙ୍କ ପୁଅ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ଯେଉଁଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରୁଛନ୍ତି । କେବଳ ଏତିକି ନୁହେଁ ଭକ୍ତଙ୍କ ନେତୃତ୍ବରେ ନୂଆପଡ଼ା ଉପନିର୍ବାଚନରେ ଲଢିଥିବା କଂଗ୍ରେସ ୮୩ ହଜାର ଭୋଟରେ ପରାସ୍ତ ହେବା କର୍ମୀଙ୍କ ମନୋବଳକୁ କମାଇଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…