January 25, 2026

Now Odisha

Now Odisha

ଆତଙ୍କବାଦୀଙ୍କ କବଳରେ ୨ ମାସ ରହି ଓଡ଼ିଶା ଫେରିଲେ ଆଦର୍ଶ |

Spread the love

ଜୀବନ ବଞ୍ଚାଇ ଫେରିବି, ଏ ଆଶା ଆଦୌ ନ ଥିଲା । ଘରକୁ ଫେରି ବାପାମାଆ, ପତ୍ନୀପୁଅକୁ ଆଉ ଦେଖିପାରିବି, ଏକଥା ଭାବି ପାରୁ ନ ଥିଲି । କିନ୍ତୁ ଏହା ସମ୍ଭବ ହେଲା ଭାବିଲେ ଲାଗୁଛି ମୁଁ ପୁନର୍ଜନ୍ମ ନେଇଛି । ସୁଦାନରେ ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇ ଭୁବନେଶ୍ବର ଫେରିବା ପରେ ଲୁହ ଛଳ ଛଳ ଆଖିରେ ଏଭଳି କଥା କହିଛନ୍ତି ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ।ସୁଦାନରେ କାମ କରୁଥିବା ଆଦର୍ଶଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ସେଠାକାର ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଅପହରଣ କରି ୨ ମାସ କାଳ ପଣବନ୍ଦୀ କରି ରଖିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମକ୍ରମେ ମୁକୁଳିଛନ୍ତି ଆଦର୍ଶ । ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆଦର୍ଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପାଛୋଟି ନେଇଥିଲେ । କୋଳେଇ ନେଇଥିଲେ ବାପାମାଆ, ପତ୍ନୀ ଓ ପୁଅ ।

ମାଆ ଆଖିରେ ଲୁହ କହୁଛି ଅନେକ କାହାଣୀ । ପୁଅକୁ ଦେଖି ବାପାର ଛାତିରେ ଉଠୁଛି କୋହ । ଆଉ ସ୍ବାମୀଙ୍କୁ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦୁଛନ୍ତି ପତ୍ନୀ । ଭୁବନେଶ୍ବର ବିମାନ ବନ୍ଦରରେ ସେ ଦୃଶ୍ୟ ଯାହାଙ୍କ ଆଖିରେ ପଡ଼ିଛି, ତାଙ୍କ ଆଖିରୁ ବି ଲୁହ ନିଗିଡ଼ି ଆସିଛି । କାରଣ ଆତଙ୍କବାଦୀଙ୍କ କବଳରୁ ମୁକୁଳି ସୁରକ୍ଷିତ ଭାବେ ଫେରି ଆସିଛନ୍ତି ଏହି ଯୁବକ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଟକଣା ଗାଁର ଆଦର୍ଶ ବେହେରା । ଘର ତ ବାହୁଡ଼ି ନାହାନ୍ତି ଏକପ୍ରକାର ପୁନର୍ଜନ୍ମ ପାଇଛନ୍ତି ଆଦର୍ଶ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ଆଦର୍ଶଙ୍କୁ କୋଳେଇ ନେଇଛନ୍ତି ବାପାମାଆ, ପତ୍ନୀ ଓ ପୁଅ ।

ସୁଦାନକୁ କାମ କରିବାକୁ ଯାଇଥିବା ବେଳେ ଆତଙ୍କବାଦୀଙ୍କ କବଳରେ ପଡ଼ିଯାଇଥିଲେ ଆଦର୍ଶ । ଦୁଇ ମାସ କାଳ ଆଦର୍ଶଙ୍କୁ ପଣବନ୍ଦୀ କରି ରଖିଥିଲେ ଆତଙ୍କବାଦୀମାନେ । ସୁଦାନ ପୋଲିସ ପାଇଁ କାମ କରୁଥିବା ସନ୍ଦେହ କରି ୧୦ରୁ ୧୫ ଜଣ ବନ୍ଧୁକଧାରୀ ତାଙ୍କୁ ଅପହରଣ କରି ନେଇଥିଲେ । ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ । ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରିଥିଲେ । ପାଣି, ବିଜୁଳି ନ ଥିବା ଏକ ପାଇଖାନା ଭିତରେ ତାଙ୍କୁ କେମିତି ରଖିଥିଲେ ଆତଙ୍କବାଦୀ, ତାହା କହିବା ବେଳେ ଆଦର୍ଶ ଭୟରେ ଯେମିତି ଶିହରି ଉଠୁଥିଲେ ।

ଜନ୍ମମାଟି କୋଟକଣାରେ ପହଞ୍ଚିବା ପୂର୍ବରୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସସିଙ୍କ ସହ ପ୍ରାଶାସନିକ ଅଧିକାରୀ ଆଦର୍ଶଙ୍କୁ ପାଛୋଟି ନେଇଥିଲେ । ସୁରକ୍ଷିତ ଭାବେ ଫେରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ଆଦର୍ଶ ଓ ତାଙ୍କ ପରିବାର । ସୁଦାନରେ ଆଦର୍ଶଙ୍କୁ ଅପହରଣ କରିବା ପରେ ପଣବନ୍ଦୀ ଅବସ୍ଥାର ଏକ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଥିଲେ । ଯେଉଁ ଭିଡିଓ ଆଦର୍ଶଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ପୂରା ପରିବାର ଭୟ ଓ ଆତଙ୍କ ଭିତରେ ରହିଥିଲେ । ଆଦର୍ଶଙ୍କୁ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ପରିବାର । ଏହାପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମନ୍ବୟକ୍ରମେ ଆଦର୍ଶଙ୍କୁ ସୁଦାନରୁ ମୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଆଦର୍ଶଙ୍କ ମୁକ୍ତି ସଂପର୍କରେ ସନ୍ଦେଶ ଦେଇଛନ୍ତି ।

error: Content is protected !!