January 25, 2026

Now Odisha

Now Odisha

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ |

Spread the love

ରାୟଗଡା,୧୮।୧୨- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର ଶିକାର ହୋଇଥିବା ସୂଚନା ମିଳିଛି ।

ଏନେଇ ଡାକ୍ତର ଚୌଧୁରୀ ରାୟଗଡା ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ ଥିବା ଏକ ସନ୍ଦେହଜନକ ବ୍ୟାଗ ଆସିଥିବା କହିଥିଲେ। ଏପରିକି ଆପଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ଅଛି ବୋଲି କହିଥିଲେ। ସଙ୍ଗେ ସଙ୍ଗେ କଲ ନକଲି ପୋଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ସାଇବର ଅପରାଧୀ ଜଣକ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ସହଯୋଗ ନ କଲେ ଅସୁବିଧାର ସମ୍ମୁଖିନ ହେବେ ବୋଲି ତାଙ୍କୁ ଧମକ ଦିଆଯାଇଥିଲା। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୋଲିସ ଏବଂ ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ଏନେଇ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଡାକ୍ତର ମମତାଙ୍କୁ ଫୋନ ଯୋଗେ ପଚାରିବାରୁ କେଣସି ସୂଚନା ଦେଇ ନ ଥିଲେ । ତେବେ ଦେଶରେ ଏହିଭଳି ବିଭିନ୍ନ ସାଇବର ଅପରାଧ ଘଟୁଥିଲେ ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।

error: Content is protected !!