January 25, 2026

Now Odisha

Now Odisha

ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣକ ପରେ ଜଣେ କରିଥିଲେ ଗଣବଳାତ୍କାର |

Spread the love

ରାୟଗଡ଼ା ଜିଲାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଛି। ଜଣେ ୧୮ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ମାନସିକ ଦୁରବସ୍ଥା ଥିବାରୁ ଏହାର ଫାଇଦା ଉଠାଇ ସୋମବାର ଅପରାହ୍ନରେ ୩ ଜଣ ଯୁବକ ତାଙ୍କୁ ବାଇକ୍‌ରେ ଉଠାଇନେଇ ଗଣବଳାତ୍କାର କରିଛନ୍ତି। ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅନ୍ତର୍ଗତ ନାଇରାରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।

ଝିଅକୁ ଉଲଗ୍ନ ଅବସ୍ଥାରେ ଉଦ୍ଧାରକରି ମା’ ଘରକୁ ନେବା ପରେ ଗୁଡ଼ାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୁଡ଼ାରି ଆଇଆଇସି ସମର୍ପିତା ସ୍ବାଇଁ ଏ ନେଇ କେସ୍‌ ନଂ. ୨/୨୬ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ ମଧ୍ୟ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ୩ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ଗୁଣପୁର ଉପଖଣ୍ଡ ମେଡିକାଲକୁ ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। ପୀଡ଼ିତାଙ୍କ ମା’ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ୩ ଝିଅ ଗାଁ ନିକଟରେ ଲିଜ୍‌ ନେଇଥିବା କପାବାଡ଼କୁ ସୋମବାର କପା ତୋଳିବା ପାଇଁ ଯାଇଥିଲେ। ଦିନ ପ୍ରାୟ ୨ଟା ବେଳେ କାମ ସରିଯିବା ପରେ ବଡ଼ ଝିଅକୁ କାଠ ନେଇ ଘରକୁ ଆଗରେ ଯିବା ପାଇଁ କହିଥିଲେ । ଏହି ସମୟରେ ସିନ୍ତାଲଗୁଡ଼ା ଗ୍ରାମର ମଣ୍ଟୁ ଶବର, ଅଜିତ ଶବର ଓ ସୁକାନ୍ତ ଶବର ଝିଅକୁ ମୋଟରସାଇକେଲରେ ଉଠାଇନେଇ ନିକଟସ୍ଥ ଭାଲିଆଡାଙ୍ଗକୁ ନେଇ ଯାଇଥିଲେ। ସେଠାରେ ଝିଅକୁ ଜଣକ ପରେ ଜଣେ ୩ଜଣ ବଳାତ୍କାର କରିଥିଲେ। ଝିଅ ମାନସିକ ବିକାରଗ୍ରସ୍ତ ହୋଇଥିବାର ଫାଇଦା ଉଠାଇ ୩ଯୁବକ ଏହି କାଣ୍ଡ ଭିଆଇଥିବା ପୀଡ଼ିତାଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୀଡ଼ିତାଙ୍କ ମା’ ଘରକୁ ଫେରି ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ପରେ ଭାଲିଆଡାଙ୍ଗ ନିକଟରେ ଝିଅକୁ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଝିଅକୁ ଲୁଗା ପିନ୍ଧାଇ ଘରକୁ ଆଣିବା ପରେ ଝିଅ ମା’ଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲା ବୋଲି ସେ କହିଛନ୍ତି।

error: Content is protected !!