ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ (EV) ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ ଦିନରେ ଦୁଇଟି ବସ୍ରେ ଅଗ୍ନିକାଣ୍ଡ ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରବିବାର ଅପରାହ୍ନ ସମୟରେ ଏକ ଇଲେକ୍ଟ୍ରିକ୍ ବସ୍ ଚାର୍ଜ ହେଉଥିବା ବେଳେ ଏଥିରୁ ଧୂଆଁ ବାହାରିଥିଲା ଏବଂ ପରେ ନିଆଁ ଲାଗିଯାଇଥିଲା। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଡିପୋ ଭିତରେ ବସ୍ ଥିବାରୁ କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ବ୍ୟାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ଦିନକ ପୂର୍ବରୁ ଶନିବାର ସକାଳେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ମଧ୍ୟ ଏକ ‘ଆମ ବସ୍’ ହୁତୁହୁତୁ ହୋଇ ଜଳିଯାଇଥିଲା। ବସ୍ ଚାଲୁଥିବା ସମୟରେ ହଠାତ୍ ଧୂଆଁ ବାହାରିବାରୁ ସତର୍କତାର ସହ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ବସ୍ଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଥିଲା।

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ