ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ କଡ଼ା ଭାଷାରେ ‘ଡ୍ରୋନ୍ ଅନୁପ୍ରବେଶ ବନ୍ଦ କରିବା’ ପାଇଁ ଚେତାବନୀ ଦେଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଛି।
ରାଜୌରୀର ଦୁଙ୍ଗଲା-ନାବଲା ଏବଂ ଥାଣ୍ଡି କାସି ଅଞ୍ଚଳରେ ଅତିକମରେ ଦୁଇରୁ ତିନୋଟି ଡ୍ରୋନ୍ ଦେଖାଯାଇଥିଲା। ଡ୍ରୋନ୍ ଦେଖିବା ମାତ୍ରେ ସତର୍କ ଭାରତୀୟ ସୈନିକମାନେ ସେଗୁଡ଼ିକୁ ଖସାଇବା ପାଇଁ ଗୁଳି ଚାଳନା କରିଥିଲେ। ସେନାର କଡ଼ା ଆଭିମୁଖ୍ୟ ଦେଖି ଡ୍ରୋନଗୁଡ଼ିକ ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିଲେ।
ଡ୍ରୋନ୍ ସାହାଯ୍ୟରେ କୌଣସି ଅସ୍ତ୍ରଶସ୍ତ୍ର ବା ମାଦକ ଦ୍ରବ୍ୟ ପକାଯାଇଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟପଟେ, କାଠୁଆ ଜିଲାର ବିଲ୍ଲାୱାର ଜଙ୍ଗଲରେ ସୁରକ୍ଷାବଳୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରାୟ ୧୫ ମିନିଟ୍ ଧରି ଚାଲିଥିବା ଏହି ସଂଘର୍ଷ ପରେ ସୁରକ୍ଷା ବାହିନୀ ସାରା ଅଞ୍ଚଳକୁ କର୍ଡନ କରି ରଖିଛନ୍ତି। ମଙ୍ଗଳବାର ସକାଳୁ ପୁଣି ଥରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ଦ୍ୱିବେଦୀ କହିଥିଲେ ଯେ, ପାକିସ୍ତାନ ସହିତ DGMO ସ୍ତରୀୟ ଆଲୋଚନା ହୋଇଛି ଏବଂ ଭାରତ ସ୍ପଷ୍ଟ କରିଛି ଯେ ସୀମାରେ ଡ୍ରୋନର ଅନୁପ୍ରବେଶକୁ କଦାପି ସହ୍ୟ କରାଯିବ ନାହିଁ। ‘ଆମେ ପାକିସ୍ତାନକୁ ନିଜ ଡ୍ରୋନ୍ ଉପରେ ଲଗାମ ଲଗାଇବାକୁ କହିଛୁ,’ ବୋଲି ସେନା ମୁଖ୍ୟ କହିଥିଲେ।
ପୂର୍ବରୁ ସାମ୍ବା, ରାଜୌରୀ ଓ ପୁଞ୍ଚ ଅଞ୍ଚଳରେ ମଧ୍ୟ ଏକାଧିକ ଡ୍ରୋନ୍ ଦେଖାଯାଇଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |