January 25, 2026

Now Odisha

Now Odisha

ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍‌

Spread the love

ଇଡି ଘାଣ୍ଟୁଛି ଗଞ୍ଜାମ୍ ମାଫିଆ ସିଣ୍ଡିକେଟ୍‌। କଳାସାମ୍ରାଜ୍ୟ ଖୋଳତାଡ଼ରୁ ହାତରେ ଲାଗିଛି ବଡ଼ ପ୍ରମାଣ। ଖାଲି ବାଲି ନୁହେଁ, ପଥର ଓ ମଦ କାରବାର ଯାଏଁ ଲମ୍ବିଛି ସିଣ୍ଡିକେଟ୍ ଚେର। ମାଷ୍ଟରମାଇଣ୍ଡ ଲିଜଧାରୀଙ୍କୁ ଡରେଇଧମକେଇ ପକେଟକୁ ଆଣୁଥିଲେ ବାଲିଘାଟ ଆଉ ପଥର ଖଣି। ସେପଟେ ରେଡ୍ ବେଳେ ତଦନ୍ତକାରୀ ଟିମ୍ ପାଇଛି ୨ କୋଟି ୬୩ ଲକ୍ଷ ଟଙ୍କାର କ୍ୟାସ୍‌।

ଦୁଇଦିନର ଘଣ୍ଟାଚକଟା ପରେ ଗଞ୍ଜାମ ମାଫିଆଙ୍କ କଳାସାମ୍ରାଜ୍ୟର ରହସ୍ୟ ଖୋଲିଛି ଇଡି। ଚାଞ୍ଚଲ୍ୟ ଖେଳାଇଦେଇଛି ବାଲିମାଫିଆଙ୍କ ବିରାଟ୍ ନେକ୍ସନ୍‌। ଖାଲି ବାଲି ନୁହେଁ, ଗଞ୍ଜାମର ପଥର ଖଣି ବି ଥିଲା ମାଫିଆଙ୍କ କବଜାରେ। କ୍ରସରଠୁ ମଦ କାରବାର ଯାଏଁ ଲମ୍ବିଥିଲା ଲିଙ୍କ୍‌। ମିଳିଭଗତରେ ଚାଲିଥିଲା ସବୁକିଛି। ଟେଣ୍ଡର୍ ଯିଏ ପାଉଛି ପାଉ, ବାଲିଘାଟ ହେଉ କି ପଥର ଖଣି । ସବୁ ଆସୁଥିଲା ସିଣ୍ଡିକେଟ୍ ପକେଟକୁ। ଭଲରେ ନ ମାନିଲେ ବାହୁବଳ ଦେଖାଇ ଗୋଟିଏ ପରେ ଗୋଟିଏ ଅକ୍ତିଆର୍ କରୁଥିଲା ବାହୁବଳି ଗ୍ୟାଙ୍ଗ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଭୁବନେଶ୍ୱର ଜୋନାଲ ଅଫିସ୍ ପିଏମ୍‌ଏଲ୍‌ଏ, ୨୦୦୨ର ବ୍ୟବସ୍ଥା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୨୫ରୁ ଅଧିକ ସ୍ଥାନରେ ବ୍ୟାପକ ଚଢ଼ଉ ଅଭିଯାନ ଚଳାଇଥିଲା। ୬ଟି ରାଜ୍ୟର ୧୭୫ରୁ ଅଧିକ ଅଧିକାରୀ ବେଆଇନ୍ ବାଲି ଏବଂ କଳାପଥର ଖଣିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସହିତ ଦେଶୀ ମଦ (ଭାଟି) କାରବାର ସହିତ ଜଡ଼ିତ ଠିକାଦାର ଏବଂ ମାଲିକଙ୍କ ସହିତ ଜଡ଼ିତ ସମ୍ପତ୍ତି ତଦନ୍ତ କରିଥିଲେ।

ବଡ଼କଥା ହେଲା ଅନୁମତିଠାରୁ ଅଧିକ ବାଲି ଓ କଳା ପଥର ଖନନ କରି ବେଧଢ଼କ ଚାଲିଥିଲା ଚାଲାଣ । ଓଡ଼ିଶାରୁ ଲୁଟି, ପଡ଼ିଶା ଆନ୍ଧ୍ରରେ ବିକୁଥିଲେ। ନକଲି ୱାଇ ଫର୍ମ ଜରିଆରେ ଲଘୁଖଣିଜ ବିକ୍ରି କରି ମାଲେମାଲ୍ ହେଉଥିଲେ ମାଫିଆ, ଆଉ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିଲେ ସରକାର । ରେଡ୍ ବେଳେ ଘରେ ପଶି ଆଲମାରୀରୁ ୨ କୋଟି ୬୩ ଲକ୍ଷ ଟଙ୍କାର କ୍ୟାସ୍ କାଢ଼ିଛି ଇଡି। ତାଛଡ଼ା ଠାବ ହୋଇଛି ବିଳାସପୂର୍ଣ୍ଣ ଗାଡ଼ି ସାଙ୍ଗକୁ ଅମାପ ସମ୍ପତ୍ତି। ବିଜେଡି ସରକାର ଅମଳରେ ବଳିଆନ ଗଞ୍ଜାମର ମାଫିଆମାନେ ବଡ଼ଧରଣର ଲଘୁଖଣିଜ ଚୋରା କାରାବାର ଚଳାଇ ଆସୁଥିଲେ ବୋଲି ବାରମ୍ବାର ଅଭିଯୋଗ ହେଉଥିଲା। ଯାହାକୁ ନେଇ ଜିଲ୍ଲାପାଳ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚୋରାଚାଲାଣକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଚେତାବନୀ ବି ଦେଇଥିଲେ। ଏପଟେ ଇଡିର ବାଲି ଖାନତଲାସିକୁ ନେଇ ତେଜିଛି ରାଜନୀତି। ଦୋଷ ଝାଡ଼ିଝୁଡ଼ି ହୋଇ ବିଜେଡି କହିଛି, ବର୍ଷେ ଦେଢ ବର୍ଷରେ ସକ୍ରିୟ ହୋଇଛନ୍ତି ବାଲିମାଫିଆ । ବ୍ୟାପକ ଖୋଳତାଡ଼ କଲେ ସତ ପଦାକୁ ଆସିବ। କଂଗ୍ରେସ ମଧ୍ୟ ମାଫିଆଙ୍କ ପର୍ଦ୍ଦାଫାସ ପାଇଁ ଦାବି କରିଥିବାବେଳେ ବିଜେପି କହିଛି, ବିଜେଡି ଅମଳରେ ମିଲିଭଗତରେ କଳାବେପାର ଚାଲିଥିଲା । ଏବେର ସରକାର କୌଣସି ମାଫିଆଙ୍କୁ ଛାଡ଼ିବେ ନାହିଁ।

error: Content is protected !!