ନୂଆଦିଲ୍ଲୀ: ଗାଡ଼ିର ଚାଲାଣ ପଇଠ ନ କଲେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ିର ପଞ୍ଜୀକରଣ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। କେନ୍ଦ୍ର ସରକାର ମୋଟର ଯାନ ନିୟମରେ ସଂଶୋଧନ କରି ଏହି କଠୋର ବ୍ୟବସ୍ଥା ଲାଗୁ କରିଛନ୍ତି। ଚାଲାଣ ସମ୍ପର୍କିତ ସ୍ବତନ୍ତ୍ର ସଂଶୋଧନ ହୋଇଛି। ଏଥିରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ଗାଡ଼ିର ବର୍ଷକୁ ୫ କିମ୍ବା ତାଠାରୁ ଅଧିକ ଥର ଚାଲାଣ କଟିବ ତେବେ ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡ଼ିବ।
କୋର୍ଟଙ୍କ ନିର୍ଦ୍ଦେଶରେ ଚାଲାଣ ବକେୟା ଥିବା ଗାଡ଼ିକୁ ଜବତ କରାଯାଇପାରିବ।
ସଂଶୋଧିତ ନିୟମକୁ ୨୦୨୬ ଜାନୁଆରି ୧ରୁ ଲାଗୁ କରାଯାଇଛି। ସଂଶୋଧିତ ନିୟମ କହୁଛି ୟୁନିଫର୍ମ ପିନ୍ଧିଥିବା ପୁଲିସ କିମ୍ବା ରାଜ୍ୟ ସରକାର ସ୍ବୀକୃତି ଦେଇଥିବା ଅଧିକାରୀ ଚାଲାଣ କାଟି ପାରିବେ। ଖିଲାପୀଙ୍କ ପାଖକୁ ତାହା ପ୍ରତ୍ୟକ୍ଷ ଭାବେ ୧୫ ଦିନ ମଧ୍ୟରେ ଓ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତିନି ଦିନରେ ପଠାଯିବ। ଗାଡ଼ିର ପଞ୍ଜୀକୃତ ମାଲିକଙ୍କ ପାଖରେ ଏସ୍ଏମଏସ୍ ଓ ଇମେଲ ମାଧ୍ୟମରେ ମଧ୍ୟ ଚାଲାଣ ପହଞ୍ଚିପାରିବ।
ଚାଲାଣ ସୂଚନା ପାଇବାର ୪୫ ଦିନ ମଧ୍ୟରେ ଖିଲାପୀ ତାହାକୁ ଗ୍ରହଣ କରିବେ କିମ୍ବା ତାହା ବିରୋଧରେ ଆପତ୍ତି ଅଭିଯୋଗ କରିପାରିବେ। ସେହି ସମୟ ସୀମା ଶେଷ ହେବା ପରେ ଯଦି ସେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଚାଲାଣ କିମ୍ବା ମୋଟର ଯାନ ନିୟମ ଉଲ୍ଲଂଘନକୁ ସେ ଗ୍ରହଣ କରିଥିବା ବିଚାର କରାଯିବ। ଚାଲାଣ ଗ୍ରହଣ ହେବାର ପରବର୍ତ୍ତୀ ୩୦ ଦିନ ମଧ୍ୟରେ ତାହା ପଇଠ କରିବାକୁ ପଡ଼ିବ ବୋଲି ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ