ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଥିଲେ।
ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଥିଲେ ଯେ ଓଡ଼ିଶାରେ ଖୁବ ଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ।
ଚଳଚ୍ଚିତ୍ର ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର, ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି।
ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ରର ବିଷୟବସ୍ତୁ ଏବଂ ସାମାଜିକ ମୂଲ୍ୟବୋଧ, ସାଂସ୍କୃତିକ ପରମ୍ପରା ଏବଂ ପାରିବାରିକ ନୀତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା ସୃଷ୍ଟି ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ସେ ଯୁବ ପୀଢ଼ିକୁ ଆହ୍ୱାନ ଦେଇ ଏହି ଚଳଚ୍ଚିତ୍ରକୁ ସପରିବାରେ ଦେଖିବାକୁ କହିଥିଲେ ଏବଂ ସମାଜରେ ସାଂସ୍କୃତିକ ଭାବନାକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ।
ଆସନ୍ତା ୬ ଫେବୃଆରୀରେ ରିଲିଜ ହେବାକୁ ଥିବା ସିନେମାର ଏହି ପ୍ରିମିୟରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଶ୍ରୀ ବିନୋଦ କୁମାର ଚୌଧୁରୀ, ବିଧାୟକଗଣ ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ।

More Stories
ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍ |
ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅଭାବ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ |