ନିକଟରେ ମୁକ୍ତିଲାଭ କରିଥିବା ‘ରକ୍ତ ଗୋଲାପ’ର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଏକ ଅଭୂଲା ସ୍ମୃତି ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରଟି ଏକ ନୂତନ କାହାଣୀ ଏବଂ ଉଚ୍ଚକୋଟୀର ଅଭିନୟର ଏକ ଚମତ୍କାର ମିଶ୍ରଣ ଭାବରେ ଉଭା ହୋଇଛି। ଓଡ଼ିଶାର ଦକ୍ଷ ଥିଏଟର କଳାକାରଙ୍କୁ ନେଇ ପ୍ରସ୍ତୁତ ଏହି ଟ୍ରେଲର, ବାସ୍ତବବାଦ ଏବଂ ଭାବପୂର୍ଣ୍ଣ ଅଭିନୟର ଏକ ନିଆରା ଅନୁଭୂତି ଦେଇଛି ।ମଞ୍ଚ ଜଗତର ଅଭିଜ୍ଞ କଳାକାର ହର ରଥ, ସମରେଶ, ଉଦିତ, ଚୌଧୁରୀ ଜୟପ୍ରକାଶ ଏବଂ ଅଭିଷେକ ଗିରି ସେମାନଙ୍କର ବହୁ ବର୍ଷର ଅଭିନୟ ଅନୁଭୂତିକୁ ପରଦା ଉପରେ ଜୀବନ୍ତ କରିଛନ୍ତି। ସେମାନଙ୍କର ନିଖୁଣ ଅଭିନୟ ଏବଂ ଚରିତ୍ରର ଗଭୀରତା ଏହି ସସପେନ୍ସ-ଥ୍ରୀଲର କାହାଣୀକୁ ସାଧାରଣ ବ୍ୟବସାୟିକ ସିନେମାଠାରୁ ବହୁତ ଉପରକୁ ନେଇଯାଇଛି।
‘ରକ୍ତ ଗୋଲାପ’ରେ ଏଲିନା ସାମନ୍ତରାୟ ଏକ ଆକର୍ଷଣୀୟ ଭୂମିକାରେ ନଜର ଆସିଛନ୍ତି, ଯାହା ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଭାବପୂର୍ଣ୍ଣ ଅଭିନୟ ହେବାକୁ ଯାଉଛି। ଜଣେ ନବବିବାହିତା ମହିଳାଙ୍କ ପ୍ରେମ, ହରାଇବାର ଦୁଃଖ ଏବଂ ତଦନ୍ତ ପ୍ରକ୍ରିୟା ମଧ୍ୟର ସଂଘର୍ଷକୁ ସେ ଚମତ୍କାର ଭାବେ ରୂପାୟନ କରିଛନ୍ତି। ବିଶେଷ କରି ବିବାହିତା ମହିଳାମାନେ ତାଙ୍କ ଚରିତ୍ରରେ ଥିବା ସଂଘର୍ଷ ଏବଂ ଭାବପ୍ରବଣତାକୁ ନିଜ ସହ ଯୋଡ଼ି ପାରିବେ। ଅଭିଷେକ ଗିରିଙ୍କ ସହ ତାଙ୍କର ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଛି।
ଆଶିଷ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଥ୍ରୀଲରର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଦର୍ଶକଙ୍କ ମନରେ ରୋମାଞ୍ଚ ଓ ଉତ୍ସୁକତା ଭରି ଦେଉଛି। ନିର୍ଦ୍ଦେଶକ ଶିଶିର ପିନାକୀଙ୍କ ସୁନ୍ଦର ନିର୍ଦ୍ଦେଶନା, କାହାଣୀର ଗତି ଏବଂ ଦୃଶ୍ୟ ସଜ୍ଜା ‘ରକ୍ତ ଗୋଲାପ’କୁ ଏକ ସମ୍ପୂର୍ଣ୍ଣ ଅଭିନୟ-ଭିତ୍ତିକ ଥ୍ରୀଲର ଭାବରେ ପ୍ରତିଷ୍ଠିତ କରିଛି। ଚଳଚ୍ଚିତ୍ରଟି ଆସନ୍ତା ଫେବୃଆରୀ 13 ତାରିଖରେ ଓଡ଼ିଶାର ସମସ୍ତ ସିନେମା ହଲରେ ରିଲିଜ ହେବ ବୋଲି ‘ରକ୍ତ ଗୋଲାପ’ର ଟିମ କହିଛି ।

More Stories