ରାୟଗଡ଼ା: ରାୟଗଡ଼ା ଜିଲାର ପ୍ରମୁଖ ନଦୀଗୁଡ଼ିକର ସୀମା ନିର୍ଦ୍ଧାରଣ ହେଉ ନ ଥିବାରୁ ଆନ୍ଧ୍ର ବାଲି ମଫିଆମାନେ ଏହାର ଭରପୁର ସୁଯୋଗ ନେଉଛନ୍ତି। ରାୟଗଡ଼ା ଜିଲା ଦେଇ ପ୍ରବାହିତ ନାଗାବଳୀ, ବଂଶଧାରା ଓ ଝଞ୍ଜାବତୀ ନଦୀ ସୀମା ନୂତନ ଭାବେ ଚିହ୍ନଟ ଦିଗରେ ପଦେକ୍ଷପ ନିଆଯାଇନାହିଁ। ପ୍ରାୟ ୨୦ ବର୍ଷ ତଳେ ନଦୀର ସୀମା ଚିହ୍ନଟ ହୋଇଥିଲା। ଏହାରି ଭିତରେ ନଦୀର ଗତିପଥ ବଦଳି ଯାଇଥିବାରୁ ସୀମା ମଧ୍ୟ ବଦଳି ଯାଇଛି।
ନାଗାବଳୀ ନଦୀ କଳାହାଣ୍ଡି ଜିଲାରୁ ରାୟଗଡ଼ା ସହରରେ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ୧୧୩ କିଲୋମିଟର ପ୍ରବାହିତ। ୪୦ ବର୍ଷ ମଧ୍ୟରେ ଏହି ନଦୀରେ ବାରମ୍ବାର ବନ୍ୟା ଯୋଗୁ ରାୟଗଡ଼ା ଜିଲାର ଭିନ୍ନ ଭିନ୍ନ ସ୍ଥାନରେ ତାର ଗତିପଥ ବଦଳାଇଛି। ପୂର୍ବରୁ ଏହି ନଦୀ ରାୟଗଡ଼ା ସହରଠାରୁ ପୂର୍ବ ଦିଗରୁ ୨୮୦ ମିଟର ଦୂରରେ ପ୍ରବାହିତ ହୋଇଥିଲା। ବର୍ତ୍ତମାନ ତାହା ୮୦ ମିଟର ନିକଟତର ହୋଇଛି। ମାଙ୍କଡ଼ଝୋଲା ଗ୍ରାମଠାରୁ ୩୦ ମିଟର ନିକଟତର ହୋଇଛି। ପୁଣି ବେଡ଼ଲି ଗ୍ରାମଠାରୁ ୧୮ ମିଟର ନିକଟତର ହେବା ଯୋଗୁ ଗ୍ରାମବାସୀ ବାସଚ୍ୟୁତ ହୋଇଛନ୍ତି। ସେହିପରି ଜଗନ୍ନାଥପୁର ବେହେରଗୁଡା, ଗୁରୁରାଜଗୁଡା, ସାନରାଇସିଂ, ବଡ଼ରାଇସିଂ, ବୋରହାଲୁଆ, ଅଣିଜା ଗ୍ରାମ ନିକଟରେ ନାଗାବଳୀ ଆଂଶିକ ଗତିପଥ ପରିବର୍ତ୍ତନ କରିଛି। ପ୍ରାୟ ୧୨ ମିଟର ପର୍ଯ୍ୟନ୍ତ ନଦୀକୁଳ ଖାଇଛି। କେରେଡ଼ା ପଞ୍ଚାୟତର ଆମ୍ପଲୱାଲାସା ଓ ଆନ୍ଧ୍ରର ପୋଡୁଗୁୱାଲ୍ସା ନଦୀ ମୁହାଣରୁ ବାଲି ମାଫିଆମାନେ ଅନାୟସରେ ବାଲି ଚାଲାଣ କରୁଛନ୍ତି। ଅଣିଜ୍ ଗ୍ରାମ ନିକଟ ରିସର୍ଟ ସ୍ଥାନରେ ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ସୀମା ଚିହ୍ନଟ ବାଧାପ୍ରାପ୍ତ ହେଉଛି। ସୀମା ଅଞ୍ଚଳରେ ଉଭୟ ସରକାରଙ୍କ କୌଣସି କଟକଣା ନଥିବାରୁ ବାଲି ମାଫିଆମାନେ ଏହାର ଭରପୁର ସୁଯୋଗ ନେଉଛନ୍ତି। ସେହିପରି ବଂଶଧାରା ନଦୀରେ ମଧ୍ୟ ସମାନ ଅବସ୍ଥା। ସେପଟେ ଜାତୀୟ ଗ୍ରୀନ ଟ୍ରିବୁନାଲ ଅଙ୍କୁଶ ଲଗାଇବା ପରେ ଆନ୍ଧ୍ର ତାର ଦୁଇଟି ଜିଲା ଶ୍ରୀକାକୁଲମ ଓ ମାନ୍ୟମ ଜିଲାର ନାଗାବଳୀ ନଦୀରେ ଥିବା ୨୬ ରୁ ଅଧିକ ବାଲି ଉତ୍ସ ବନ୍ଦ କରି ଦେଇଛି। ଫଳରେ ଆନ୍ଧ୍ର ବାଲି ମାଫିଆମାନେ ଚତୁରତା ସହିତ ବାଲି ଖୋଳି ନିଜ ଅଞ୍ଚଳକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି।
ସୀମା ଚିହ୍ନଟ ଖଣି ବିଭାଗ ଅଧିନରେ ରହିଛି। ନଦୀର ଗତିପଥ ଟ୍ୟାଗ କରି ଖଣି ବିଭାଗ ପଦକ୍ଷେପ ଗ୍ରହଣ କରିବ ବୋଲି ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ କହିଛନ୍ତି।

More Stories
ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍ |
ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅଭାବ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ |