February 13, 2026

Now Odisha

Now Odisha

ଓଡ଼ିଶାର ଆର୍ଥିକ ବିକାଶ ଲକ୍ଷ୍ୟ ଦିଗରେ ଉଲ୍ଲେଖନୀୟ ଭୂମିକା ପ୍ରଦର୍ଶିତ କରୁଛି ପାରାଦ୍ୱୀପ ବନ୍ଦର: ମୁଖ୍ୟ ଶାସନ ସଚିବ |

Spread the love

ପାରାଦୀପ/ଭୁବନେଶ୍ୱର,୧୩/୦୨: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ପାରାଦ୍ୱୀପ ବନ୍ଦର ପରିଦର୍ଶନ କରି ବନ୍ଦର କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହିତ ବନ୍ଦରର କାର୍ଯ୍ୟ ଏବଂ ଦୀର୍ଘକାଳୀନ ସଂପ୍ରସାରଣ ଯୋଜନା ଅନୁଧ୍ୟାନ କରିଥିଲେ। ମୁଖ୍ୟ ଶାସନ ସଚିବ ଗତକାଲି ପାରାଦ୍ଵୀପ ଠାରେ ପହଞ୍ଚି ଆଜି ପୂର୍ବାହ୍ନରୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ।ପରିଦର୍ଶନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ, ଶ୍ରୀ ପି.ଏଲ୍ ହରାନାଧ, ବନ୍ଦରର ୱେଟ୍ ବେସିନ ଠାରେ ସ୍ୱାଗତ କରିଥିଲେ ଏବଂ ସିଆଇଏସଏଫ୍ ୟୁନିଟ୍ ଦ୍ୱାରା ତାଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ ରହିଥିବା ବର୍ଥ , ଜାହାଜ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଏବଂ ସାମୁଦ୍ରିକ କାର୍ଯ୍ୟ ନିରୀକ୍ଷଣ ପାଇଁ ଏକ ଲଞ୍ଚ ଯାତ୍ରା ମଧ୍ୟ କରିଥିଲେ ।

ପାରାଦ୍ୱୀପ ବନ୍ଦର ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ୧୫୦.୪୧ ମିଲିୟନ ମେଟ୍ରିକ୍ ଟନ କାର୍ଗୋ(ମାଲ) ପରିବହନ କରିଛି। ୨୮୯ ଏମପିଟିଏ ମୂଲ୍ୟାଙ୍କିତ କ୍ଷମତା, ଶିଳ୍ପରେ ଅଗ୍ରଣୀ ଉତ୍ପାଦକତା ଏବଂ ପ୍ରାୟ ୧୮୬୦ କୋଟିର ନେଟ୍ ଅତିରିକ୍ତ ଲାଭ ସହିତ, ପାରାଦୀପ ବନ୍ଦର ଜାତୀୟ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିଛି ଓ ଦେଶର ପ୍ରମୁଖ ଅନ୍ୟ ବନ୍ଦରମାନଙ୍କ ମଧ୍ୟରୁ ସବୁଠାରୁ କମ୍ ଜହାଜ ଏବଂ କାର୍ଗୋ ଶୁଳ୍କ ରଖୁଛି ।୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର୍ ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ ମୁଖ୍ୟ ସଚିବ। “ପାରାଦୀପ ବନ୍ଦର ୨.୦”ରେ ୫୦୦ ଏମଟିପିଏରୁ ଅଧିକ କ୍ଷମତା ବିସ୍ତାର, ୱେଷ୍ଟର୍ଣ୍ଣ ଡକକୁ ଗଭୀର କରାଯିବା ଏବଂ ସବୁଜ ହାଇଡ୍ରୋଜେନ ବର୍ଥର ବିକାଶ ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ଵୀପ ଇକୋନୋମିକ ରିଜନ ଉପରେ ବିଶେଷ ଆଲୋକପାତ କରିଥିଲେ।

ଖଣିଜ ଉତ୍ତେଳନରେ ସୀମିତ ନରହି ଜାହାଜ ନିର୍ମାଣ, ପୁନଃ ନବୀକରଣ ଶକ୍ତି, ବିରଳ ଧାତୁ ପ୍ରକ୍ରିୟାକରଣ, ଅନ୍ତରୀକ୍ଷ ଉଦ୍ୟୋଗ, ପୋଷାକ, ପର୍ଯ୍ୟଟନ ଓ କ୍ରୁଜ୍ ବିକାଶରେ ବିବିଧିକରଣ ପାଇଁ ଆହ୍ୱାନ ଦେଇଥିଲେ, ଯାହା ଦୀର୍ଘକାଳୀନ ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରିପାରିବ ବୋଲି ପରାମର୍ଶ ଦେଇଥିଲେ ।

ମୁଖ୍ୟ ସଚିବ, ଶ୍ରୀମତୀ ଗର୍ଗ ପିପିଏଲ୍ ପାରାଦୀପ, ଜେଏସଡବ୍ଲ୍ୟୁ, ଉତ୍କଳ ଷ୍ଟିଲ୍ ଲିମିଟେଡ୍, ଏଏମଏନଏସ୍ ସହ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାମାନଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ପରିଦର୍ଶନ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏସଟିଏସସି ବିକାଶ ବିଭାଗ ଅନ୍ତର୍ଗତ ପାରାଦ୍ଵୀପ ଗଡ଼ ଠାରେ ଥିବା ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଶେଷରେ ପାରାଦ୍ଵୀପ ମେ ଫେୟାର ହୋଟେଲ ଏକଷ୍ଟେନସନ୍ ସାଇଟ୍ ପରିଦର୍ଶନ କରିଥିଲେ।

error: Content is protected !!