February 15, 2026

Now Odisha

Now Odisha

ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ: ୭୧ ବର୍ଷ ବୟସରେ ଆଖି ବୁଜିଲେ ‘ଯାଯାବର’ ଗାୟିକା

Spread the love

ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଦୁଃଖଦ ଖବର। ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍‌ ତଥା ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କାଘାତର ଶିକାର ହୋଇଛନ୍ତି। ଗତ କିଛି ଦିନ ଧରି ସେ ଆଇସିୟୁ(ICU)ରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କ ସ୍ୱାମୀ ଗୋପାଳ ବାତ୍ରା ପୂର୍ବରୁ ତାଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଥିଲେ ମଧ୍ୟ ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ଗୀତା ପଟ୍ଟନାୟକ ସତୁରୀ ଦଶକର ଜଣେ ଆଗଧାଡ଼ିର ଗାୟିକା ଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ସହ ଅନେକ ହିଟ୍‌ ଗୀତ ଗାଇଛନ୍ତି। ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଯାଯାବର’ର ଲୋକପ୍ରିୟ ଗୀତ ‘ଫୁର୍‌ କିନା ଉଡିଗଲା ବଣି’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହାବ୍ୟତୀତ ‘ବଡ଼ ବେଦରଦୀ ମୋ ନାଲି ପାନ ରଜା’, ‘ଏଇ ତାରାଭରା ଜହ୍ନ ରାତି’, ଏବଂ ‘ଦନେଇ ଦାସ କହେରେ ଭାଇ’ ଭଳି ଅନେକ କାଳଜୟୀ ଗୀତରେ ସେ କଣ୍ଠଦାନ କରିଯାଇଛନ୍ତି।

error: Content is protected !!