ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମାଲଦେଙ୍କ ପ୍ରତି ଆକ୍ରମଣରେ ଭାଲୁ ମଧ୍ୟ ଦରମଲା ହୋଇ ଜଙ୍ଗଲ ଭିତରକୁ ପଳାଇଥିବା ସୂଚନା ମିଳିଛି।ପ୍ରକାଶ ଯେ, ଗ୍ରାମ ନିକଟରେ ଥିବା ହାତୀସାଲବେଡ଼ା ଜଙ୍ଗଲକୁ ମଙ୍ଗଳବାର କେତେଜଣ ଗ୍ରାମବାସୀଙ୍କ ସହ ମାଲଦେ ଓ ତାଙ୍କ ସ୍ତ୍ରୀ ଲିଲି ପତ୍ର ଗୋଟାଇବାକୁ ଯାଇଥିଲେ। ସମସ୍ତେ ପତ୍ର ତୋଳୁଥିବାବେଳେ ଅପରାହ୍ନ ଗୋଟାଏ ବେଳେ ହଠାତ୍ ଏକ ଭାଲୁ ମାଲଦେଙ୍କୁ ଆକ୍ରମଣ କରିଥିଲା। ଭାଲୁ ନିକଟରୁ ବର୍ତ୍ତିବାପାଇଁ ସ୍ତ୍ରୀ, ସ୍ବାମୀ ଲଢ଼େଇ କରିଥିଲେ। ଭାଲୁ ଆକ୍ରମଣରେ ମାଲଦେଙ୍କ ମୁଣ୍ଡର ଉପରିଭାଗର ଚର୍ମ ସମ୍ପୂର୍ଣ୍ଣ ଉଠିଯାଇଛି। ସ୍ତ୍ରୀ,ସ୍ବାମୀଙ୍କ ଆକ୍ରମଣରେ ଭାଲୁଟି ମଧ୍ୟ ଆହତ ହୋଇ ଜଙ୍ଗଲ ଭିତରକୁ ପଳାଇଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲଦେଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା।

More Stories
ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ: ୭୧ ବର୍ଷ ବୟସରେ ଆଖି ବୁଜିଲେ ‘ଯାଯାବର’ ଗାୟିକା
ତେଲ ବଜାରକୁ ଓଡ଼ିଶାର ଅବଦାନ ୪%
ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ |