February 22, 2026

Now Odisha

Now Odisha

ଇସ୍ରାଏଲରୁ ଅତ୍ୟାଧୁନିକ ମିସାଇଲ୍‌ ଓ ଡ୍ରୋନ୍‌ ଆଣିବେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା କ୍ଷେତ୍ରରେ ହେବ ୯୦ହଜାର କୋଟିର ମହାଚୁକ୍ତି !

Spread the love

ନୂଆଦିଲ୍ଲୀ, ୨୧।୨: ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ଆହୁରି ମଜବୁତ ହେବାକୁ ଯାଉଛି ରଣନୈତିକ ସମ୍ପର୍କ । ଚଳିତ ମାସ ଫେବୃଆରୀ ୨୫ ଓ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ୍ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ପ୍ରାଧାନ୍ୟ ଦିଆଯିବ ବୋଲି ଆଶା କରାଯାଉଛି ।ସୁରକ୍ଷା କ୍ଷେତ୍ରରେ ସ୍ୱାକ୍ଷରିତ ହେବ MoU:

ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ପାଇଁ ଏକ MoU ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଯଦିଓ ବର୍ତ୍ତମାନ କୌଣସି ବଡ଼ ଧରଣର ନୂତନ ପ୍ରତିରକ୍ଷା ଚୁକ୍ତି ହେବାର ସଙ୍କେତ ମିଳିନାହିଁ, କିନ୍ତୁ ଆଗାମୀ ବର୍ଷଗୁଡ଼ିକରେ ପ୍ରତିରକ୍ଷା ସହଯୋଗ ପ୍ରାୟ ୧୦ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୯୦ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।ଭାରତ ନିଜର ଆକାଶ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ‘ମିଶନ ସୁଦର୍ଶନ’ ଉପରେ କାମ କରୁଛି । ଏହି କ୍ଷେତ୍ରରେ ଇସ୍ରାଏଲ୍ ଭାରତକୁ ଏହାର ଅତ୍ୟାଧୁନିକ ‘ଆଣ୍ଟି-ବ୍ୟାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ’ ଟେକ୍ନୋଲୋଜି ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି । ଯେଉଁଥିରେ ରହିଛି ଲେଜର-ଭିତ୍ତିକ ପ୍ରତିରକ୍ଷା ପ୍ରଣାଳୀ, ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅତ୍ୟାଧୁନିକ ଡ୍ରୋନ୍ । ଇସ୍ରାଏଲ୍ ପାଖରେ ପୂର୍ବରୁ ଆଇରନ୍ ଡୋମ୍, ଆରୋ ଏବଂ ଡେଭିଡ୍‌ସ ସ୍ଲିଙ୍ଗ୍ ଭଳି ଶକ୍ତିଶାଳୀ ସୁରକ୍ଷା କବଚ ରହିଛି, ଯାହା ଶତ୍ରୁର ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରିଦିଏ ।

ନୌସେନା ପାଇଁ ‘ବରାକ’ ମିସାଇଲ୍:

ଭାରତୀୟ ନୌସେନା ନିଜର ଯୁଦ୍ଧ ଜାହାଜ ଗୁଡ଼ିକର ସୁରକ୍ଷା ପାଇଁ ‘ବରାକ’ ମିସାଇଲ୍ ସିଷ୍ଟମର ନୂତନ ସଂସ୍କରଣ କିଣିବାକୁ ଚିନ୍ତା କରୁଛି । ଏହା ବ୍ୟତୀତ ଶତ୍ରୁ ଶିବିରରେ ପଶି ଆକ୍ରମଣ କରିବା ପାଇଁ ‘ରାମପେଜ୍’ ମିସାଇଲ୍ ଏବଂ ଘାତକ ଡ୍ରୋନ୍ ଉପରେ ମଧ୍ୟ ଚର୍ଚ୍ଚା ହେବ । କେବଳ ସାମରିକ ଶକ୍ତି ନୁହେଁ, ବରଂ ବିଜ୍ଞାନ, କୃଷି, ବିଶୁଦ୍ଧ ପାନୀୟ ଜଳ ସମସ୍ୟାର ସମାଧାନ ଏବଂ କ୍ୱାଣ୍ଟମ୍ ଭଳି ଉଦୀୟମାନ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମିଳିତ ଭାବେ କାମ କରିବେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ବନ୍ଧୁତା ଏବଂ ଆତଙ୍କବାଦ ବିରୋଧରେ ଉଭୟ ଦେଶର ସମାନ ଆଭିମୁଖ୍ୟ ଏହି ସମ୍ପର୍କକୁ ଆହୁରି ଗଭୀର କରିଛି ।

error: Content is protected !!