April 27, 2026

Now Odisha

Now Odisha

ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି

Spread the love

ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି ହେବ । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ ବିଜେ ହେବା ପରେ ଏହି ବିଶେଷ ନୀତି ପାଳନ ହେବ । ମଧ୍ୟାହ୍ନ ଧୂପ ଶେଷ ପରେ ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଦୋଳବେଦିସ୍ଥିତ ଅଗ୍ନି ଉତ୍ସବ ଗୃହକୁ ବିଜେ ହେବେ ।ଅଗ୍ନି ସଂଯୋଗ ପରେ ଅଗ୍ନି ଗୃହକୁ ପ୍ରଦକ୍ଷଣ କରିବେ ଠାକୁର ଠାକୁରାଣୀ । ପ୍ରସାଦ ଲାଗି, ଶୀତଳ ଭୋଗ ଆଦି ବିଧି ମୁତାବକ ନୀତି ସରି ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ବାହୁଡ଼ିବେ । ତେବେ ଦୁଇ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବହୁ ବିଳମ୍ବରେ ଚାଲିଛି। ସ୍ଥିତି ଏଭଳି ହୋଇଛି ଶନିବାର ରାତିରେ ପହୁଡ଼ ହୋଇ ନଥିବାରୁ ଶ୍ରୀଜୀଉ ଅନିଦ୍ରା ରହିଛନ୍ତି।

ଶୁକ୍ରବାର ବିଳମ୍ବରେ ଅର୍ଥାତ ଭୋର ୪.୩୦ରେ ପହୁଡ଼ ପଡ଼ିବା ସହ ଦ୍ୱାରଫିଟା ନୀତି ୭ଟାରେ ହୋଇଥିଲା। ଏଥିପାଇଁ ହଜାର ହଜାର ଭକ୍ତ ଭୋର ସମୟରେ ଘଣ୍ଟା ଘଣ୍ଟା ଧରି ଅସମ୍ଭାଳ ଭିଡ଼ରେ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ରତ୍ନ ଭଣ୍ଡାର ଗଣତିମଣତି ନିମନ୍ତେ ଦିନ ଧାର୍ଯ୍ୟ ବାବଦରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

error: Content is protected !!