ରାଇରଙ୍ଗପୁର/ବହଳଦା, ୧୩ ମାର୍ଚ୍ଚ: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କ ସହ ଅସଦାଚରଣ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ରାସ୍ତା ମଝିରେ ନାବାଳିକାଙ୍କ ସହ ଅସଦାଚରଣ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଥିଲା।
ଘଟଣା ପରେ ପୀଡ଼ିତାଙ୍କ ଗ୍ରାମବାସୀ ଅଭିଯୁକ୍ତଙ୍କ ଘର ସାମ୍ନାରେ ଜମାହୋଇ ପ୍ରତିବାଦ କରିଥିଲେ ଏବଂ ନ୍ୟାୟ ଦାବିରେ ରାତିସାରା ଗ୍ରାମରେ ଜଗିବସିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବାରୁ ତିରିଂ ଥାନା ପୁଲିସ, ଝରାଡିହି ଫାଣ୍ଡି ପୁଲିସ ସହ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ପୁଲିସ ପକ୍ଷରୁ ଯଥୋଚିତ ପଦକ୍ଷେପ ନ ନିଆଯାଇଥିବା ଅଭିଯୋଗ କରି ଶତାଧିକ ଗ୍ରାମବାସୀ ପୀଡ଼ିତାଙ୍କୁ ଖଟରେ ବୋହି ପ୍ରାୟ ୭ କି.ମି. ଦୂର ବହଳଦା ଡାକ୍ତରଖାନାକୁ ନେବାକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଗ୍ରାମବାସୀଙ୍କ ଦାବି ଥିଲା ଯେ ଅଭିଯୁକ୍ତ ଯୁବକ ଗ୍ରାମବାସୀଙ୍କ ସମ୍ମୁଖରେ ଆସି କ୍ଷମା ପ୍ରାର୍ଥନା କରିବା ଉଚିତ।
ପରେ ଗ୍ରାମବାସୀମାନେ ବହଳଦା ମୁର୍ମୁ ଛକରେ ରାଞ୍ଚି–ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଯାନଚଳାଚଳ ବନ୍ଦ ରହିଥିଲା ଏବଂ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିଲା।
ପରିସ୍ଥିତିକୁ ସମ୍ଭାଳିବା ପାଇଁ ରାଇରଙ୍ଗପୁର ଅତିରିକ୍ତ ଏସ୍ପି ଯଦୁନାଥ ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର ସେନାପତି, ତିରିଂ ଥାନାଧିକାରୀ ପ୍ରଶାନ୍ତ ଜେନା, ବହଳଦା ଥାନାଧିକାରୀ ଭାସ୍କର ପ୍ରଧାନ, ରାଇରଙ୍ଗପୁର ଟାଉନ ଥାନାଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହି ସମୟରେ ଉତ୍ତେଜିତ ଗ୍ରାମବାସୀଙ୍କ ଆକ୍ରମଣରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ସହ ତହସିଲଦାରଙ୍କ ଗାଡ଼ିକୁ ପଥର ମାରି ଭାଙ୍ଗି ଦିଆଯାଇଥିଲା ଏବଂ ଗାଡ଼ିକୁ ଓଲଟାଇ ଦିଆଯାଇଥିବା ସୂଚନା ମିଳିଛି।
ଖବର ଲେଖା ହେବା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ରାସ୍ତା ଅବରୋଧ ଜାରି ରହିଥିବା ବେଳେ ପରିସ୍ଥିତି ତନ୍ତୁଳା ରହିଛି।

More Stories
ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ |
ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହୋଇଛି ନୂଆ ରେଳ ଟ୍ରାକ୍ |
ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା