ବିଜେଡିର ବିପର୍ଯ୍ୟସ୍ତ ସାଂଗଠନିକ ପରିଚାଳନାକୁ ନେଇ ମୁହଁ ଖୋଲୁଥିବା ନେତାମାନଙ୍କୁ ଦଳବିରୋଧୀର ଆଖ୍ୟା ଦେଇ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରୁଥିବା ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ଅସଲ ଚିତ୍ର ଓ ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବରିଷ୍ଠନେତା ଅମର ଶତପଥୀ ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଡଜନେରୁ ଅଧିକ ନେତାଙ୍କୁ ଦଳୀୟ ଶୃଙ୍ଖଳାର ଜ୍ଞାନ ବାଂଟି ‘ଦଳବିରୋଧୀ’ର ଟ୍ୟାଗ୍ ଲଗାଇଥିବା ପ୍ରତାପଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ବିଜେଡି ନେତୃତ୍ୱଙ୍କ ନିରବତା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ୱକଫ୍ ବିଲ୍ ପ୍ରସଙ୍ଗରେ ଦଳୀୟ ନିଷ୍ପତ୍ତି ପଛରେ ଗଭୀର ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ ନିମନ୍ତେ ଦାବି କରି ପ୍ରତାପ ଖୋଲାଖୋଲି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି । ଏପରିକି ନିଜ ନେତାଙ୍କୁ ଲେଖିଥିବା ଚିଠିକୁ ପ୍ରତାପ ନିଜେ ଗଣମାଧ୍ୟମକୁ ଦେଇ ଶୃଙ୍ଖଳା ଭଙ୍ଗ କରିଥିଲେ ମଧ୍ୟ ତାଙ୍କ ଦସ୍ତଖତରେ ଅନ୍ୟମାନଙ୍କୁ ଦଳବିରୋଧୀ ଟ୍ୟାଗ୍ ଦେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
–ଦଳୀୟ ଶୃଙ୍ଖଳା କାହା ପାଇଁ କେମିତି?
‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’ । ଏହି ଢଗଟି ଏବେ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ପାଇଁ ପୁରା ଫିଟ୍ ବସିଛି । ଦଳୀୟ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇବା ସହ ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାରକୁ ଗଣମାଧ୍ୟମରେ ସାର୍ବଜନୀନ କରାଇ ଦଳକୁ ସର୍ବସାଧାରଣରେ ସମାଲୋଚିତ କରିଥିବା ପ୍ରତାପ ଜେନା ଏବେ ଅନ୍ୟ ନେତାମାନଙ୍କୁ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି । ଆଉ ଦଳବିରୋଧୀର ଆଖ୍ୟା ମଧ୍ୟ ଦେଉଛନ୍ତି । ପ୍ରତାପଙ୍କ ଦସ୍ତଖତରେ ବିଗତ ୪ମାସ ମଧ୍ୟରେ ୧୪ଜଣ ବିଜେଡି ନେତାଙ୍କୁ ନିଲମ୍ବନ କରାଯାଇ ସାରିଲାଣି । ମାତ୍ର ଖୋଦ୍ ପ୍ରତାପଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୁଦ୍ଧରେ ଦଳ ଆକ୍ସନ ନେବା ତ ଦୂରର କଥା ସେ କାହିଁକି ଏଭଳି କାର୍ଯ୍ୟ କରିଥିଲେ ସେନେଇ କାରଣଦର୍ଶାଅ ନୋଟିସଟିଏ ମଧ୍ୟ ଜାରି କରିପାରିନଥିବା ଜଣାପଡ଼ିଛି ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |