ଆସାମ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଜନତା ହିଁ ତାଙ୍କର ଈଶ୍ୱର ଓ “ରିମୋଟ୍ କଣ୍ଟ୍ରୋଲ”। ନିଜ ଓ ତାଙ୍କ ମାତା ହୀରାବେନ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସେ କହିଛନ୍ତି, “ମୁଁ ଶିବଙ୍କ ଭକ୍ତ, ଏହି ବିଷକୁ ମୁଁ ଗିଳି ନେବି।” ଆସାମର ଦାରାଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ପରେ ସେ କହିଛନ୍ତି, “ଜନତା ମୋର ମାଲିକ, ମୋର ଦେବତା। ମୋର ଅନ୍ୟ କୌଣସି ରିମୋଟ୍ କଣ୍ଟ୍ରୋଲ ନାହିଁ।”
ମୋଦି ବିହାରରେ ନିର୍ବାଚନ ପ୍ରଚାର ସମୟରେ ଆରଜେଡି-କଂଗ୍ରେସ ପକ୍ଷରୁ ହୋଇଥିବା ଅପମାନଜନକ ମନ୍ତବ୍ୟ ଓ କଂଗ୍ରେସ ଦ୍ୱାରା ତାଙ୍କ ମାତାଙ୍କୁ ନେଇ ଏଆଇ ଭିଡିଓ ନିର୍ମାଣ ପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଆସାମରେ କଂଗ୍ରେସର ପୂର୍ବତନ ଶାସନକୁ ଟାର୍ଗେଟ କରି କହିଛନ୍ତି, ୬୦-୬୫ ବର୍ଷରେ କଂଗ୍ରେସ ବ୍ରହ୍ମପୁତ୍ର ନଦୀ ଉପରେ ମାତ୍ର ତିନୋଟି ସେତୁ ନିର୍ମାଣ କରିଥିବା ବେଳେ ତାଙ୍କ ସରକାର ଗୋଟିଏ ଦଶନ୍ଧିରେ ଛଅଟି ସେତୁ ନିର୍ମାଣ କରିଛନ୍ତି।
ଅନୁପ୍ରବେଶ ପ୍ରସଙ୍ଗରେ ମୋଦି କହିଛନ୍ତି, “କଂଗ୍ରେସର ମୁଖ୍ୟ ଲକ୍ଷ୍ୟ ହେଉଛି ଭୋଟ୍ ବ୍ୟାଙ୍କ। ସେମାନେ ଦେଶର ଚିନ୍ତା ନକରି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି।” ସେ ଅପରେସନ ସିନ୍ଦୁର ଉଲ୍ଲେଖ କରି କଂଗ୍ରେସକୁ ଆତଙ୍କବାଦୀ ଓ ପାକିସ୍ତାନର ଏଜେଣ୍ଡାକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି।ଏହା ସହିତ ସେ ଭୁପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୂର୍ବ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି, “କଂଗ୍ରେସ ଉତ୍ତର-ପୂର୍ବାଞ୍ଚଳର ଜନତାଙ୍କ ଘାଆ ଉପରେ ଲୁଣ ଛିଞ୍ଚୁଛି।”

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |