April 1, 2026

Now Odisha

Now Odisha

ଜନଗଣନା -୨୦୨୭ ଅନ୍ତର୍ଗତ ସ୍ଵ- ଗଣନାରେ ନିଜର ତଥ୍ୟ ପ୍ରଦାନ କଲେ ରାଜ୍ଯପାଳ |

Spread the love

ଭୁବନେଶ୍ୱର, ୦୧/୦୪: ଚଳିତ ଏପ୍ରିଲ ୧ ତାରିଖ ବୁଧବାର ଦିନ ଜନଗଣନା -୨୦୨୭ର ସ୍ଵ – ଗଣନା ପ୍ରକ୍ରିୟା ଆରମ୍ଭ ହେବା ଅବସରରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସ୍ୱ-ଗଣନାରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଛନ୍ତି l ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ପରିବାରକୁ ଗଣନା କରିବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱରୋପ କରି ଜନଗଣନା ପ୍ରକ୍ରିୟାରେ ରାଜ୍ୟର ସମସ୍ତ ଜନସାଧାରଣ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ଜନଗଣନା ୨୦୨୭ ର ସ୍ୱ-ଗଣନା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ଯପାଳ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଏହି ଗୁରୁତ୍ୱପୂର୍ଣ୍ଣ ଦେଶବ୍ୟାପୀ କାର୍ଯ୍ୟକ୍ରମରେ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ ପାଇଁ ଆହ୍ୱାନ ଜଣାଇଛନ୍ତି।ରାଜ୍ୟର ପ୍ରଥମ ନାଗରିକ ଭାବରେ ରାଜ୍ଯପାଳ ନିଜେ ସ୍ୱ-ଗଣନା ପ୍ରକ୍ରିୟାରେ ଦାୟିତ୍ୱ ସମାପନ କରି ଅନ୍ୟମାନଙ୍କୁ ମଧ୍ୟ ଏହା କରିବାକୁ ଉତ୍ସାହିତ କରିଛନ୍ତି।

ରାଜ୍ଯପାଳ ଉଲ୍ଲେଖ କରିଛନ୍ତି ଯେ, ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟ ଯାହା ଫଳପ୍ରଦ ଯୋଜନା ଏବଂ ବିକାଶ ପାଇଁ ଭିତ୍ତିଭୂମି ପ୍ରଦାନ କରେ l ରାଜ୍ଯପାଳ ଆହୁରି ମଧ୍ୟ କହିଛନ୍ତି ଯେ, ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଜନଗଣନାରେ ସଠିକ୍ ତଥ୍ୟ ସଂଗ୍ରହ ଅତ୍ୟାବଶ୍ୟକ।ଜନଗଣନାର ଗୃହ ଗଣନା ଓ ତାଲିକାକରଣ ପର୍ଯ୍ୟାୟ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ ନାଗରିକମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l ଏହି ପ୍ରକ୍ରିୟାରେ ଯେପରି କୌଣସି ବ୍ୟକ୍ତି କିମ୍ବା ପରିବାର ବାଦ ନପଡ଼ିବେ, ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଜନଗଣନାକୁ ସଠିକ ଏବଂ ସଫଳ କରିବା ପାଇଁ ଜନସାଧାରଣ ସହଯୋଗ କରିବାକୁ ରାଜ୍ଯପାଳ ଆହ୍ୱାନ ଜଣାଇଛନ୍ତି।

ସାମୂହିକ ଦାୟିତ୍ୱର ଗୁରୁତ୍ୱକୁ ଦୋହରାଇ ରାଜ୍ଯପାଳ କହିଛନ୍ତି ଯେ, ସକ୍ରିୟ ଜନଭାଗିଦାରୀ ଶାସନକୁ ଆହୁରି ସୁଦୃଢ଼ କରିବ ଏବଂ ସମାଜର ସମସ୍ତ ବର୍ଗ ପାଇଁ ସେବା ପ୍ରଦାନକୁ ଉନ୍ନତ କରିବ।

ରାଜ୍ଯପାଳ ନିଜର ତଥ୍ୟ ପ୍ରଦାନ କରିବା ସମୟରେ ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ନିଖିଲ ପଵନ କଲ୍ୟାଣ ଏବଂ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (BMC)ର କମିଶନର ଚଞ୍ଚଲ ରାଣା ଉପସ୍ଥିତ ଥିଲେ।

error: Content is protected !!