ଭୁବନେଶ୍ୱର, ୦୨/୦୪: ଯେଉଁ ସଂସ୍ଥାକୁ ସରକାର କଳାତାଲିକାଭୁକ୍ତ କରିପାରିଥାଆନ୍ତେ, ତାକୁ ଧରାଇଦେଇଛନ୍ତି ଏକ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ । ହରିିୟାଣାର ଏକ ଦାଗୀ କମ୍ପାନୀକୁ ମିଳିଛି କଟକ-ଭୁବନେଶ୍ୱର କରିଡର ଅଧୀନ କାଠଯୋଡ଼ି ସେତୁ ସମାନ୍ତରାଳ ବ୍ରିଜ୍ ନିର୍ମାଣର ଠିକା । ବିହାରରେ ଗଙ୍ଗାନଦୀ ଉପରେ ଏକ ବଡ଼ ବ୍ରିଜ୍ ଭୁଶୁଡ଼ିବା ପରେ ପାଟନା ହାଇକୋର୍ଟ ନିର୍ମାଣକାରୀ ସଂସ୍ଥା ଏସ୍.ପି. ସିଙ୍ଗଲା କନ୍ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍କୁ ଦାୟୀ କରି ଭର୍ତ୍ସନା କରିଥିଲେ । ଓଡ଼ିଶା ସରକାର ଏକଥା କିପରି ଜାଣିପାରିଲେ ନାହିଁ ବୋଲି ଲୋକେ ପ୍ରଶ୍ନ କରିବା ସହ କମ୍ପାନୀକୁ ପ୍ରଦାନ କରାଯାଇଥିବା ଟେଣ୍ଡର ବାତିଲ ପାଇଁ ସ୍ୱର ଉତ୍ତୋଳନ ଆରମ୍ଭ କଲେଣି ।୨୦୨୩ ଜୁନ୍ ୪ରେ ବିହାର ଗଙ୍ଗାନଦୀ ଉପରେ ସୁଲତାନଗଞ୍ଜ ସହ ଖଗାରିଆର ଅଗୁୱାନୀ ଘାଟକୁ ଯୋଡ଼ିବାକୁ ଥିବା ୩.୧୬ କି.ମି. ଲମ୍ବ ବିଶିଷ୍ଟ ଏକ ନିର୍ମାଣାଧୀନ ବ୍ରିଜ୍ ହଠାତ୍ ଭୁଶୁୁଡ଼ି ପଡ଼ିଥିଲା । ୧,୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବାବେଳେ ଏହାର ୩୦ଟିି ପିଲାର (ସ୍ତମ୍ଭ) ନଦୀଗର୍ଭରେ ଜଳସମାଧି ନେବା ପରେ ଅଞ୍ଚଳବାସୀଙ୍କ ଯାତାୟାତ ଓ ପରିବହନ ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା । ସେତେବେଳେ ନିର୍ମାଣକାରୀ ସଂସ୍ଥା ଏସ୍.ପି. ସିଙ୍ଗଲା କନ୍ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ୍ ମୌସୁମୀକୁ ଦୋଷ ଦେଇ ଖସିଯିବାକୁ ଉଦ୍ୟମ କରିଥିଲା । ଅତ୍ୟଧିକ ବର୍ଷା ଯୋଗୁ ସେତୁ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଧସିଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା । ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଧାର୍ଯ୍ୟ କରାଯାଇଥିବା ସେତୁକୁ ଦୀର୍ଘ ୯ ବର୍ଷ ଧରି ଗୋଟିଏ ନିର୍ମାଣ ସଂସ୍ଥା ତିଆରି କରୁଥିଲା । ଅଥଚ ବର୍ଷା ପାଣିରେ କିପରି ଧୋଇ ହୋଇଗଲା, ତାହା ଜାଣିପାରିଲା ନାହିଁ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଥାଏ । ମାମଲା ଯାଇ ପାଟନା ହାଇକୋର୍ଟରେ ପହଞ୍ଚିଥିଲା । ସିଭିଲ୍ ରିଟ୍ ଜୁରିସ୍ଡିକ୍ଶନ୍ ମାମଲା ନଂ.୮୨୦୯/୨୦୨୩ ଦାଏର ହେବା ପରେ ହାଇକୋର୍ଟ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ନିର୍ମାଣ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏସ୍.ପି. ସିଙ୍ଗଲାଙ୍କୁ ନୋଟିସ କଲେ । ପରବର୍ତ୍ତୀ ସମୟରେ କମ୍ପାନୀ ନିଜ ନାମ ବଦଳାଇ ଏସ୍ପିଏସ୍ କନଷ୍ଟ୍ରକସନ ରଖିଦେଲା । ସେହି ମାମଲାର ଫଇସଲା ଅଦ୍ୟାବଧି ହୋଇନାହିଁ କି ତୃତୀୟ ଥର ଭୁଶୁଡ଼ିଥିବା ଉକ୍ତ ବ୍ରିଜ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଉକ୍ତ ବିବାଦୀୟ କମ୍ପାନୀକୁ ଓଡ଼ିଶା ସରକାର କଟକ-ଭୁବନେଶ୍ୱର କରିଡର ଅଧୀନରେ ଏକ ଗୁରୁଦାୟିତ୍ୱ ଦେଇଛନ୍ତି, ଯାହାକୁ ନେଇ ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । କାଠଯୋଡ଼ି ନଦୀ ଉପରେ ନିର୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ସମାନ୍ତରାଳ ଏକ ହାଇ-ଲେଭଲ ବ୍ରିଜ୍୍ ନିର୍ମାଣ ପାଇଁ ଏସ୍ପିଏସ୍ କନ୍ଷ୍ଟ୍ରକ୍ଶନ୍କୁ ଟେଣ୍ଡର ମିଳିଛି । ବ୍ରିଜ୍ର ଲମ୍ବ ୩ କି.ମି. ହେବାକୁ ପ୍ରସ୍ତାବ ରହିଥିବାବେଳେ ଆପ୍ରୋଚ୍ ରୋଡ୍କୁୁ ମିଶାଇ ଏହାର ମୋଟ ଦୈର୍ଘ୍ୟ ୩.୫ କିି.ମି. ଧାର୍ଯ୍ୟ କରାଯାଇଛି । ୨୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଉକ୍ତ ପ୍ରକଳ୍ପ ପାଇଁ ପୂର୍ବ ଟେଣ୍ଡରକୁ ବାତିଲ କରି ୨୦୨୫ରେ ନୂଆ ଟେଣ୍ଡର ବଳରେ ଏହି ଦାଗୀ ସଂସ୍ଥା ହାତକୁ ଏତେ ବଡ଼ କାମ ଟେକି ଦିଆଯାଇଥିଲା । ହରିୟାଣାର ପଞ୍ଚକୁଲାରେ ମୁଖ୍ୟାଳୟ ଥିବା ଏସ୍ପିଏସ୍ କନ୍ଷ୍ଟ୍ରକ୍ଶନ୍ ଏହାକୁୁ ଯୋଗ୍ୟତା ଆଧାରରେ ପାଇନାହିଁ । ଅନ୍ୟ ୨ଟି ନିର୍ମାଣକାରୀ କମ୍ପାନୀ (ଚେଭ୍ରୋକ୍ସ କନ୍ଷ୍ଟ୍ରକ୍ଶନ୍ ଏବଂ ଦୀନେଶଚନ୍ଦ୍ର ଆର୍. ଅଗ୍ରୱାଲ ଇନ୍ଫ୍ରାକନ୍ ପ୍ରା. ଲିଃ.)କୁ ବାଦ୍ଦେଇ ଟର୍ନକି ବେସିସ୍ରେ ଏହାକୁ ଠିକା ଦିଆଯାଇଛି । ଦ୍ୱୈତନଗରୀକୁ ଯୋଡ଼ୁଥିବା ଜାତୀୟ ରାଜପଥ (ଏନ୍ଏଚ୍)-୧୬ରେ ଟ୍ରାଫିକ୍ ଯନ୍ତ୍ରଣା କମାଇବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିବାବେଳେ ବ୍ରିଜ୍ଟି ଯେ ନିିର୍ମାଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭୁଶୁଡ଼ି ନ ପଡ଼ିବ, ସେକଥା କିଏ କହିବ ବୋଲି କଟକ ଖାନ୍ନଗର ଅଞ୍ଚଳରେ ଲୋକେ କୁହାକୁହି ହେଉଛନ୍ତି ।
ଏହି ଭିତ୍ତିଭୂମି ପ୍ରକଳ୍ପର ବିବାଦୀୟ ପ୍ରସଙ୍ଗକୁ ନେଇ ଭିତିରି ମହଲରେ ବିତର୍କ ମୁଣ୍ଡ ଟେକିବା ପରେ ଓଡ଼ିଶା ସରକାରଙ୍କ ଅଭିିସନ୍ଧି ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି । ଓଡ଼ିଶାରେ ନିର୍ମାଣକାରୀ ସଂସ୍ଥାଗୁଡ଼ିକ ଥାଉ ଥାଉ ଏକ ବାହ୍ୟ କମ୍ପାନୀର ଇତିହାସ, ଭୂଗୋଳ ନ ଜାଣି ତାକୁ ଏତେ ଗୁୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କିଏ ଓ କାହିଁକି ଟେକିଦେଇଛନ୍ତି ବୋଲି ସମାଲୋଚକ ପ୍ରଶ୍ନ କରିଛନ୍ତି । ବିହାରରେ ଏକ ବୃହତ୍ ଢାଞ୍ଚାଗତ ବିଫଳତା ପାଇଁ ଖୋଦ୍ ଉଚ୍ଚ ଅଦାଲତ ଯାହାକୁ ଦାୟୀ କରିଛନ୍ତି, ତା ଉପରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଏହା ମିିଛ ଆସ୍ଥା ନା ଅହେତୁକ ଅନୁକମ୍ପା ସେକଥା ବୁଝି ହେଉନାହିଁ ବୋଲି ଜଣେ ବରିଷ୍ଠ ଇଞ୍ଜିନିୟର ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି । ଏତିକି ନୁହେଁ, ଜଣେ ଅବସରପ୍ରାପ୍ତ ପ୍ରଶାସକ କହିଛନ୍ତି, ଏସ୍ପିଏସ୍ କନ୍ଷ୍ଟ୍ରକ୍ଶନ୍ ସମେତ ଆଉ କେଉଁ କେଉଁ ଦାଗୀ କମ୍ପାନୀଗୁଡ଼ିକୁ ଏଭଳି ଗୁୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ଗଢ଼ିବାକୁ ଦିଆଯାଇଛି ସେସବୁର ଖୋଳତାଡ଼ କରାଯାଉ । ଅଯୋଗ୍ୟ ସଂସ୍ଥାଗୁୁଡ଼ିକର ସମସ୍ତ ଟେଣ୍ଡର ବାତିଲ କରାଯାଉ । ଏପରି କି ଯେଉଁଠି ଦୁର୍ବଳ ମାନର କାର୍ଯ୍ୟ ହୋଇଥିବ ସମ୍ପୃକ୍ତ କନ୍ଷ୍ଟ୍ରକ୍ଶନ୍ କମ୍ପାନୀଠାରୁ ସୁଧ ସହିତ ଟଙ୍କା ଅସୁଲ କରାଯାଉ ବୋଲି ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହ ବାହାରେ ୨ ଜଣ ବିରୋଧୀ ବିଧାୟକ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । ସରକାରୀ ପାଣ୍ଠିରେ ଟ୍ରାନ୍ସପରେନ୍ସି (ସ୍ୱଚ୍ଛତା) ପାଇଁ ଓକିଲାତି କରୁଥିବା କେତେଜଣ ଆକ୍ଟିଭିଷ୍ଟ ଏବଂ ଓଡ଼ିଶାର କଣ୍ଟ୍ରାକ୍ଟରମାନଙ୍କ ମତରେ ଜେନୁଇନ୍ ବିଡରଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ । ତେବେ ସିଙ୍ଗଲାକୁ ମିଳିଥିବା ଟେଣ୍ଡର ବାତିଲ କରାଯିବ କି ନାହିଁ ତାହା ଏ ଯାଏ ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି । ଓଡ଼ିଶାରେ ଟେଣ୍ଡର ଟ୍ରାନ୍ସପରେନ୍ସିକୁ ନେଇ ବିବାଦ ଲାଗି ରହିଥିବାବେଳେ ଏହି ଏପିସୋଡ୍ (ଉପାଖ୍ୟାନ) ବାବୁ ମହଲରେ ପ୍ରିୟାପ୍ରୀତି ତୋଷଣକୁ ଅଙ୍ଗୁଳି ଦେଖାଇବା ସହ ବିତର୍କର ଆଉ ଏକ ଫର୍ଦ୍ଦ ଯୋଡ଼ିଦେଇଛି ।

More Stories
କେପିଏଲ ସିଜନ-୧ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ,
ବନସର ଗ୍ରାମରେ ସାତ ଦିନ ଧରି ଚାଲିଥିବା ସପ୍ତା ଉଦଯାପିତ
ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ